ସ୍ତ୍ରୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଆତ୍ମହତ୍ୟା

ଆନନ୍ଦପୁର,୨୬।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ଥାନା ବାରିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ବୃଦ୍ଧ ସ୍ବାମୀ ନିଜ ପତ୍ନୀଙ୍କୁ ଏକ ଭୁଜାଲିରେ ଆକ୍ରମଣ କରି ବିଷପିଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ସ୍ବାମୀ ହେଲେ ନବଘନ ସାହୁ(୬୫)।  ସ୍ତ୍ରୀ ମଞ୍ଜୁଲତା ସାହୁ(୫୨) ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନାନୁଯାୟୀ, ଗ୍ରାମର ନବଘନ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏକ ଭୁଜାଲିରେ ମଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମଞ୍ଜୁଲତା ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ମଞ୍ଜୁଲତା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଅପରପକ୍ଷେ ପତ୍ନୀଙ୍କୁ ଆକ୍ରମଣ କରବା ପରେ ସ୍ବାମୀ ନବଘନ ଘରୁ ବାହାରକୁ ଯାଇ ନିକଟସ୍ଥ ଏକ ପଳାଶବଣରେ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ମିଳିଛି। ନବଘନ ଘରୁ ପଳାଇବା ପରେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଜମିକୁ କାମ କରିବାକୁ ଯାଇଥିବା କିଛି ଲୋକ ନବଘନ ପଳାଶ ବଣରେ ପଡିଥିବା ସୂଚନା ଦେଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଡାକ୍ତରଖାନାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ଘସିପୁରା ଆଇଆଇସି ବିରଞ୍ଚି ବାଗ୍‌ ଉପସ୍ଥିତ ରହି ତଦନ୍ତ ଚାଲୁ ରଖିଥିବା ଜଣାପଡିଛି।