ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲା ଓ ଦୌରା ଜଜ୍‌ ଅଶାନ୍ତ କୁମାର ଦାଶ।
ପ୍ରକାଶ ଯେ, ୨୦୧୬ ମସିହା ଜାନୁୟାରୀ ୨୦ ତାରିଖରେ ଧନେଶ୍ୱର ଭୁକ୍ତା ନିଜ ନବବିବାହିତ ସ୍ତ୍ରୀଙ୍କୁ ମାରି କୂଅରେ ପକାଇ ଦେଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରକରି ପୋଲିସ ଅଭିଯୁକ୍ତ ଧନେଶ୍ୱରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ଏ ନେଇ ଥାନାରେ ୬/୧୬ ରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ୧୭ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ମାନ୍ୟବର ଜିଲା ଓ ଦୌରା ଜଜ୍‌ ମଙ୍ଗଳବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ମହେନ୍ଦ୍ର ବସ୍ତିଆ ଏହି କେସ୍‌ ପରିଚାଳନା କରିଥିଲେ।