ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ ତାଙ୍କ ମୃତଦେହକୁ ଉଦ୍ଧାର କରି ଅଭିଯୁକ୍ତ ସ୍ବାମୀ କୁନାଲ ସିଂଙ୍କ ସହ ୫ଜଣଙ୍କୁ ଅଟକ ରଖିଛି। ମୃତ ମହିଳା ହେଲେ ଆରତୀ ଦେବୀ (୨୦)।

ସୂଚନାନୁଯାୟୀ, ଡିସେମ୍ବର ୩୧ରୁ ଆରତୀ ନିଖୋଜ ଥିଲେ। ବାପା ସତେନ୍ଦ୍ର ସିଂ ଝିଅକୁ ହତ୍ୟା କରିଥିବା ନେଇ ଜାନୁୟାରୀ ୩ ତାରିଖରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଜାନୁୟାରୀ ୯ରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ କୁନାଲଙ୍କ ବନ୍ଦ ପଡିଥିବା ଘର ଭିତରେ ମାଟି ଖୋଳା ଯାଇଥିଲା। ହେଲେ ଆରତୀଙ୍କ ମୃତଦେହ ସେମାନେ ପାଇ ନ ଥିଲେ। ହେଲେ ଘର ସମ୍ମୁଖରେ ଥିବା ଏକ ଅଟୋରୁ ରକ୍ତାଛିଟା ଥିବା ଲୁହା ରଡ ପୋଲିସ ଜବତ କରିଥିଲା । ସେ ସମୟରେ ପୋଲିସ ଆରତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା । ପୋଲିସର ୪ଟି ଟିମ ଗଠନ କରି ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯାଇଥିଲେ । ସେଠାରେ ଅଭିଯୁକ୍ତ କୁନାଲ ଓ ତାଙ୍କ ପରିବାରକୁ ଗିରଫ କରିବା ପରେ ସମସ୍ତ ତଥ୍ୟ ସାମନାକୁ ଆସିଥିଲା। ନିଖୋଜ ହେବାର ୧୮ଦିନ ପରେ ଶନିବାର ମାଟି ଖୋଳିି ପୋଲିସ ଆରତୀଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କୁ ହତ୍ୟା କରିବା ପରେ ଘରୁ ୫ କିମି ଦୂର ବାଗୁଡିଆ ଆମ୍ବବୁରେଇଠାରେ ଅଭିଯୁକ୍ତ ସ୍ବାମୀ କୁନାଲ ପୋତି ଦେଇଥିବା ପୋଲିସ କହିଛି। ଏହି ଘଟଣାରେ କୁନାଲଙ୍କ ସମେତ ପରିବାରର ୫ଜଣ ସଦସ୍ୟଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ୨ଟି କୋଢ଼ି, ଶାବଳ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ କୁନାଲଙ୍କ ସୂଚନା ଅନୁସାରେ ଜାଗା ଚିହ୍ନଟ କରି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ ପହଞ୍ଚତ୍ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଅତିରିକ୍ତ ଏସ୍‌ପି ପିକେ ମହାପାତ୍ର, ଏସ୍‌ଡିପିଓ ତପନ କୁମାର ମହାନ୍ତିଙ୍କ ସମେତ ପୋଲିସ ଟିମ ଉପସ୍ଥିତ ରହିଥିଲେ । ମୃତ ଆରତୀଙ୍କ ପରିବାର ବିହାରରୁ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

Share