Categories: ଫୁରସତ

ସ୍ତ୍ରୀଙ୍କ ଆଶା ପୂରଣ ପାଇଁ ତିଆରି କଲେ ଗିଟାର ଆକାରର ଜଙ୍ଗଲ

ଆର୍ଜେଣ୍ଟିନା, ପମ୍ପାସ୍‌ର ଏକ ଉର୍ବର ଚାଷଜମିରେ ଦେଖିବାକୁ ମିଳେ ଏକ ବିରାଟକାୟ ଗିଟାର ଆକାରର ଜଙ୍ଗଲ। ଜଙ୍ଗଲଟି ୭୦୦୦ରୁ ଊର୍ଦ୍ଧ୍ୱ ସାଇପ୍ରେସ୍‌ ଓ ୟୁକାଲିପଟାସ୍‌ ଗଛ ଲଗାଯାଇ ତିଆରି କରାଯାଇଛି। ୧ କି.ମିରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଉକ୍ତ ଜଙ୍ଗଲ ଏରୋପ୍ଲେନ୍‌ ଓ ସାଟେଲାଇଟ୍‌ରୁ ସ୍ପଷ୍ଟ ଦେଖାଯାଏ। ତେବେ ଏହି ଜଙ୍ଗଲ ସୃଷ୍ଟି ପଛରେ ରହିଛି ଏକ ସୁନ୍ଦର ରୋଚକ କାହାଣୀ। ପେଦ୍ରୋ ମାର୍ଟିନ ଉରେଟା ନାମକ ଜଣେ କୃଷକ(ଯାହାଙ୍କୁ ବର୍ତ୍ତମାନ ୭୧ ବର୍ଷ ବୟସ) ଓ ତାଙ୍କ ଚାରି ସନ୍ତାନ ମିଶି ୩୦ ବର୍ଷ ପୂର୍ବେ ଏହି ଜଙ୍ଗଲ ତିଆରି କରିବା ପାଇଁ ବୃକ୍ଷରୋପଣ କରିଥିଲେ। ପେଦ୍ରୋଙ୍କ ସ୍ତ୍ରୀ ଗ୍ରାସିଏଲା ରେଜଜ୍‌ଙ୍କର ଇଚ୍ଛା ଥିଲା ଏମିତି ଏକ ଜଙ୍ଗଲ ତିଆରି କରିବାକୁ। ଦିନେ ସେ ପ୍ଲେନ୍‌ରେ ଗଲାବେଳେ ତଳେ ଏକ କ୍ଷୀରଦୁହାଁ ବାଲ୍ଟି ଆକାରର ଚାଷଜମି ଦେଖିବାକୁ ପାଇଥିଲେ। ଏହାପରେ ସେ ଭାବିଥିଲେ ତାଙ୍କର ପ୍ରିୟ ବାଦ୍ୟଯନ୍ତ୍ର ଗିଟାର ପରି ଏକ ଜଙ୍ଗଲ ତିଆରି କରିବାକୁ। ହେଲେ ହଠାତ୍‌ ୧୯୭୭ରେ ଏକ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟ ହୋଇଗଲା। କିଛିବର୍ଷ ପରେ ପେଦ୍ରୋ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ଲାଗି ପିଲାଙ୍କ ସାହାଯ୍ୟରେ ଗିଟାର ଆକୃତିରେ ବୃକ୍ଷରୋପଣ କଲେ। ବର୍ତ୍ତମାନ ଏହା ଗିଟାର ପରି ଦେଖିବାକୁ ଏକ ସବୁଜ ବନାନୀରେ ରୂପାନ୍ତରିତ ହୋଇଗଲାଣି।

Share