ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା : କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

କାକଟପୁର,୨୬।୮(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପିଟିପିଟି ମାରିଦେବା ପରେ କଟୁରିରେ ମୁଣ୍ଡଗଣ୍ଡି ଅଲଗା କରି କଟାମୁଣ୍ଡ ଧରି ଅସ୍ତରଙ୍ଗ ଥାନାରେ ପହଞ୍ଚିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବାବେଳେ ଆଇଆଇସି ଶରତ କୁମାର ନାୟକ, ପୁରୀର ସାଇଣ୍ଟିଫିକ୍‌ ଟିମ୍‌ ତାଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଟକ ଥିବା ବ୍ୟକ୍ତି ଜଣକ ହେଲେ ଅସ୍ତରଙ୍ଗ ଥାନା ରାଇବେରୁଆଁ ଗ୍ରାମର ଗଣେଶ ବେହୁରା(ବାପି)।
ସୂଚନା ଅନୁଯାୟୀ, ଗଣେଶ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କିଛିଦିନ ହେଲା ସେ ଗାଁକୁ ଆସିଥିଲେ। ତେବେ ସ୍ତ୍ରୀ ଅନ୍ନପୂର୍ଣ୍ଣା(୩୫)ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ତେଣୁ ଘରେ ସବୁଦିନେ ଗଣ୍ଡଗୋଳ ଲାଗି ରହୁଥିଲା। ରବିବାର ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଗଣେଶ ଉତ୍‌କ୍ଷିପ୍ତ ହୋଇ ଏକ ଶାବଳରେ ଅନ୍ନପୂର୍ଣ୍ଣାଙ୍କୁ ପିଟି ପିଟି ମାରି ଦେଇଥିଲେ। କିନ୍ତୁ ସେତିକିରେ ବି ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ଏକ କଟୁରିରେ ତାଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ। ତା’ପରେ କଟା ମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।