ବୈପାରୀଗୁଡ଼ା,୨୯ା୪(ଡି.ଏନ୍.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ପନିପରିବା ଆଣିବାକୁ ଗଲେ ଲୋକେ ବାରଣ କରୁଛନ୍ତି। ଛୋଟ ଛୁଆଙ୍କୁ ଗେଲ କରିବାକୁ ଇଚ୍ଛା ହେଉଥିଲେ ବି ବାଧା ଦେଉଛି ସାମାଜିକ କଟକଣା। ରନ୍ଧନ ଗ୍ୟାସ ପରିବହନରେ ନିୟୋଜିତ ଥାଇ ପରିବାର ସହ ମିଶିପାରୁ ନ ଥିବା ଜଣେ ଟ୍ରକ୍ ଚାଳକଙ୍କ ଏ ହେଉଛି କୋହଭରା କଥା।
ବୈପାରୀଗୁଡ଼ା ବ୍ଲକ ଅମଳାଭଟ୍ଟା ଗ୍ରାମର ରମେଶ ମାଝି ସ୍ଥାନୀୟ ଅଞ୍ଚଳର ରନ୍ଧନ ଗ୍ୟାସ ଏଜେନ୍ସିରେ ବହୁ ଦିନ ତଳୁ ଡ୍ରାଇଭର ଅଛନ୍ତି। ଗ୍ୟାସ ଟାଙ୍କି ଆଣିବା ପାଇଁ ସେ ଅଧିକାଂଶ ଦିନ ବିଶାଖାପାଟଣା ଯାଆନ୍ତି। ଏହି ଦାୟିତ୍ୱଟି ପୂର୍ବରୁ ପେଟ ପୋଷୁଥିବା ବେଳେ ଏବେ ତାହା ପରିବାରଠାରୁ ବିଚ୍ଛେଦ କରିଛି। କରୋନା ଆତଙ୍କ ପରେ ସେ ପରିବାର ଲୋକଙ୍କୁ ଭେଟିବାକୁ ଗଲେ ଗଁ। ଭିତରକୁ ଲୋକେ ଛାଡୁନାହାନ୍ତି। ଗଁ। ଲୋକେ ଜଣାଇବା ପରେ ସ୍ଥାନୀୟ ସରପଞ୍ଚ ମଧ୍ୟ ତାଙ୍କୁ ଲୋକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ମାସେରୁ ଅଧିକ ହେବ ସେ ବାଧ୍ୟହୋଇ ଗ୍ୟାସ ଡିପୋରେ ଏକା ଏକା ରହୁଛନ୍ତି। ମାସିକ ୧୦ ହଜାର ଟଙ୍କା ଦରମାରେ ସେ ଜୀବନକୁ ବାଜି ଲଗାଇ ଏବେ ଲୋକଙ୍କ ପାଇଁ କାମ କରୁଛନ୍ତି, କିନ୍ତୁ ସମାଜ ତାଙ୍କୁ ଯେପରି ଅଣଦେଖା କରୁଛି ତାହା ତାଙ୍କୁ ମର୍ମାହତ କରିଛି। ସେପାଖେ ରମେଶଙ୍କ ଅନୁପସ୍ଥିତିରେ ଛୋଟ ପିଲାଙ୍କ ସହ ତାଙ୍କ ସ୍ତ୍ରୀ ଦୁଃଖକଷ୍ଟରେ ରହୁଛନ୍ତି।