କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦: ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର ପ୍ରଧାନ ଦେବବ୍ରତ ମହାପାତ୍ର। ଖବରପାଇ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଦେବବ୍ରତଙ୍କ ପତ୍ତା ମିଳିପାରିନାହିଁ। ସ୍ତ୍ରୀଙ୍କ ସହ ଝଗଡା ଲାଗିବାରୁ ସେ ନଦୀକୁ ଡେଇଁ ପଡିଥିବା କଟକ ସଦର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ପୋଲିସ ସୂତ୍ରରୁ ପ୍ରକାଶ, ଦେବବ୍ରତ ୨୦୧୪ରେ କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଅଞ୍ଚଳର ଶୁଭଲକ୍ଷ୍ମୀ ପରିଡାଙ୍କୁ ବିବାହ କରିଥିଲେ। ଦେବବ୍ରତ ଯାଜପୁରରେ ଥିବା ଏକ କମ୍ପାନୀର ଆଉଟସୋର୍ସିଂ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଶୁଭଲକ୍ଷ୍ମୀ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ବନକାଟୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଉଭୟଙ୍କର ଏକ ୪ବର୍ଷର ଶିଶୁପୁତ୍ର ଅଛି। କିଛିମାସ ହେବ ଉଭୟଙ୍କ ଭିତରେ ବିଭିନ୍ନ ଘଟଣାକୁ ନେଇ ଅନେକ ଥର ଝଗଡ଼ା ହୋଇଛି। ଏପରି କି ଉଭୟ ପକ୍ଷର ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ଝଗଡ଼ା ସମାଧାନ ହୁଏ। ୫ ଦିନ ତଳେ ସ୍ତ୍ରୀ ଓ ପୁଅଙ୍କୁ ନେଇ ଦେବବ୍ରତ ନିଜ ଶଢୁଘର ଯାଜପୁର ଜିଲା ବାରଗାଡିଆ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ଦେବବ୍ରତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବୁଧବାର ସେ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ବାଇକ୍(ନଂ.ଓଆର୦୫ଜେଡ୍-୪୩୭୪)ନେଇ କରଞ୍ଜ ଗ୍ରାମକୁ ଫେରୁଥିଲେ। ବାଟରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଦେବବ୍ରତ୍ତ କାଠଯୋଡି ପୋଲ ଉପରେ ବାଇକ୍ ରଖିଥିଲେ। ପରିସ୍ରା ଯିବେ ବୋଲି କହିଥିଲେ ମଧ୍ୟ ରାଗ ତମତମ ହେଉଥିବାରୁ ଶୁଭଲକ୍ଷ୍ମୀ ତାଙ୍କୁ ଯିବାକୁ ଦେଇ ନ ଥିଲେ। ଗୋଟିଏ ହାତରେ ପୁଅକୁ ଧରିଥିବା ବେଳେ ଅନ୍ୟ ହାତରେ ଦେବବ୍ରତଙ୍କୁ ଅଟକାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇଥିଲା। ଫଳରେ ଶୁଭଲକ୍ଷ୍ମୀଙ୍କୁ ଠେଲି ଦେଇ ଦେବବ୍ରତ ନଦୀକୁ ଡେଇଁ ପଡ଼ିଥିଲେ। ଏହାଦେଖି ଶୁଭଲକ୍ଷ୍ମୀ ଚିତ୍କାର କରିବାରୁ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। କଟକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍କୁ ଜବତ କରିବା ସହ ଶୁଭଲକ୍ଷ୍ମୀ ଓ ତାଙ୍କ ପୁଅକୁ ଥାନାକୁ ନେଇ ପଚରାଉଚରା କରିଥିଲା।
ଷ୍ଟାର୍ଟ ହେଲାନି ୱାଟରବୋଟ୍: ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ୍ରେ ଏହି ଘଟଣା ଘଟିଥିଲା। ଏହାର କିଛି ସମୟ ପରେ ପ୍ରଥମେ ମଧୁପାଟଣା ଥାନାରେ ଖବର ପହଞ୍ଚିଥିଲା। ମଧୁପାଟଣା ଥାନା ପକ୍ଷରୁ ଓଡ୍ରାଫ ଟିମ୍ ଓ ସ୍କୁବା ଡାଇଭରଙ୍କୁ ଫୋନ କଲ୍ ଯାଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ଓଡ୍ରାଫର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ୩୦ରୁ ୪୦ ମିନିଟ୍ ଧରି ଟିମ୍ର ୱାଟରବୋଟ ଷ୍ଟାର୍ଟ ହୋଇ ନ ଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଆଉ ଗୋଟିଏ ଓଡ୍ରାଫ ଟିମ୍ ସନ୍ଧାନ କାର୍ଯ୍ୟରେ ସାମିଲ ହୋଇଥିଲା।