ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା ଖବରପାଇ ମୟୂରଭଞ୍ଜ ଜିଲା ଉଦଳା ଥାନା ପୋଲିସ ଏଠାରୁ ୮ କି.ମି ଦୂର ନାବରା ଜଙ୍ଗଲ ପାର୍ଶ୍ୱସ୍ଥ ରାସ୍ତାରୁ ଏହାକୁ ଜବତ କରି ତଦନ୍ତ କରୁଛି। ରାତି ସମୟ ହୋଇଥିବାରୁ ମହିଳାଙ୍କ ମୃତଦେହକୁ ଉର୍ମଳ ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରଖାଯାଇଥିଲା । ପରେ ପୋଲିସ ଏକ ଅଟୋ ଯୋଗେ ମୃତଦେହକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଗ୍ରାମକୁ ପଠାଇଛି।
ମୃତା ମହିଳାଙ୍କ ସ୍ବାମୀ କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମର ଖେଲା ସୋରେନ୍‌ ଟ୍ରଲିରେ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ବୋହିନେବା ଘଟଣା ନେଇ ଦେଇଥିବା ବୟାନ ପୋଲିସ ତଥା ଅଞ୍ଚଳବାସୀଙ୍କୁ ଚକିତ କରିଛି। ସେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ରାଇମାତ ସୋରେନ୍‌ ଗର୍ଭକଷ୍ଟ ପାଇବାରୁ ତାଙ୍କୁ ନେଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରବିବାର ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ା ଏଭଳି ସ୍ଥିତିରେ ସେ ଅସହାୟ ହୋଇ ଶିଶୁ ପୁତ୍ରକୁ ଡାକ୍ତରଖାନାରେ ଛାଡି ସ୍ବର୍ଗରଥ ଗାଡ଼ିରେ ତାଙ୍କର ଜଣେ ନିକଟସ୍ଥ ସମ୍ପର୍କୀୟଙ୍କ ଘରକୁ ଆଣିଥିଲେ। ସେଠାରେ ସ୍ବର୍ଗରଥ ମୃତଦେହକୁ ଛାଡି ଫେରିଯାଇଥିଲା। ଖେଲା ସୋରେନଙ୍କ ସମ୍ପର୍କୀୟମାନେ ମୃତଦେହ ସତ୍କାର ପାଇଁ ରାଜି ନ ହେବାରୁ ସେ ନିରୂପାୟ ହୋଇ ଏକ ଟ୍ରଲି ମାଗି ଆଣି ନିଜ ଗାଁକୁ ମୃତଦେହକୁ ନେଉଥିଲେ। ହାତରେ ଅର୍ଥ ନ ଥିବାରୁ ସେ କୌଣସି ଗାଡ଼ି ଭଡ଼ାରେ ଆଣିବାକୁ ସମର୍ଥ ହୋଇ ନ ଥିଲେ। ଉର୍ମଳ ଗ୍ରାମର ସମ୍ପର୍କୀୟମାନେ ଶବଦାହ କରିବାକୁ ମନା କରିବା କାରଣ ସ୍ପଷ୍ଟ ହୋଇ ନାହିଁ। ସରକାର ମୃତଦେହକୁ ଅସମ୍ମାନିତ ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଖେଲା ସୋରେନ ସ୍ତ୍ରୀଙ୍କ ମୃତଦେହକୁ ଟ୍ରଲିରେ ବୋହି ନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

Share