Categories: ଜାତୀୟ

ସ୍ଥଗିତାଦେଶକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୨୧ା୧(ପି.ଟି.): ରାଜନୈତିକ ଦଳଗୁଡିକର ପାଣ୍ଠି ସଂଗ୍ରହ ପାଇଁ ରହିଥିବା ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏଥିସହିତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କଠାରୁ ଅଦାଲତ ଜବାବ ଲୋଡ଼ିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ ଯୋଜନା ଉପରେ ସ୍ଥଗିତାଦେଶ ଜାରି ଲାଗି ‘ଆସୋସିଏଶନ ଫର ଡୋମୋକ୍ରାଟିକ୍‌ ରିଫର୍ମସ’ (ଏଡିଆର୍‌) ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଅଘୋଷିତ କଳାଧନ ଶାସକ ଦଳ ପାଣ୍ଠିକୁ ଯାଉଥିବା ଏନ୍‌ଜିଓ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଥିଲେ। ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଉପସ୍ଥିତ ରହି ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଇଲେକ୍ଟୋରାଲ ବଣ୍ଡ ବିକ୍ରି ନିମନ୍ତେ ସରକାର ୧୦ ଦିନ ସମୟ ଦେଇଛନ୍ତି। ୨୦୧୮ ଜାନୁୟାରୀ ୨ରେ ଇଲେକ୍ଟୋରାଲ ବଣ୍ଡ ଯୋଜନା ପ୍ରଚଳନ ଲାଗି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାକୁ ଚାହୁଁଥିବା ଜଣେ ଭାରତୀୟ କିମ୍ବା ଭାରତରେ ଥିବା କୌଣସି ସଂସ୍ଥା ଏହି ବଣ୍ଡ୍‌ କିଣିପାରିବେ।

Share