Categories: ଖେଳ

ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ

ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସଦସ୍ୟ ଡିକ୍‌ ପାଉଣ୍ଡ ଏ ନେଇ ସୂଚନା ଦେଇଛନ୍ତି। ଅଲିମ୍ପିକକୁ ସ୍ଥଗିତ ରଖାଯିବ ବୋଲି ସେ କହିଛନ୍ତି। ଆଗାମୀ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ରୀଡ଼ା ମହାକୂମ୍ଭ ୨୦୨୧କୁ ଘୁଞ୍ଚାଇ ଦିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ମଳିଥିତ୍ବା ବିଭିନ୍ନ ସୂଚନାକୁ ଆଧାର କରି ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ୟୁଏସ୍‌ଏ ଟୁଡେ ସ୍ପୋଟର୍‌ସକୁ ସାକ୍ଷାତ୍‌କାର ଦେଇ ପାଉଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଲିମ୍ପିକ୍ସ ଆୟୋଜନ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପର୍ଯ୍ୟାୟକ୍ରମେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ୭୮ ବର୍ଷୀୟ ପାଉଣ୍ଡ କହିଛନ୍ତି। ପାଉଣ୍ଡ କେବଳ ଆଇଓସି କାର୍ଯ୍ୟକାରୀ କମିଟିରେ ନାହାନ୍ତି ସେ ମଧ୍ୟ ଆଇଓସିର ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ରହିଛନ୍ତି। ତେବେ ଆନୁଷ୍ଠାନିକ ଭାବେ ଆଇଓସି ତରଫରୁ ଅବଶ୍ୟ ଅଲିମ୍ପିକ୍ସ ସ୍ଥଗିତ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।
ଆଇଓସିର ସବୁ ସଦସ୍ୟ ଆଇଓସି କାର୍ଯ୍ୟକାରୀ ବୋର୍ଡର ନିଷ୍ପତ୍ତିକୁ କଦର୍ଥ କରି ଏଭଳି ଅବାଞ୍ଚିତ ମନ୍ତବ୍ୟ ଦେବା ଠିକ୍‌ ନୁହଁ ବୋଲି ଆଇଓସି ମୁଖପାତ୍ର ମାର୍କ ଆଡମ୍ସ କହିଛନ୍ତି। ପ୍ରଥମଥର ପାଇଁ ଏଭଳି କାରଣରୁ ଅଲିମ୍ପିକ ସ୍ଥଗିତ ହେବାକୁ ଯାଉଛି। ପୂର୍ବରୁ ଅବଶ୍ୟ ବିଶ୍ୱଯୁଦ୍ଧ ପାଇଁ ଅଲିମ୍ପିକ୍ସ ବାତିଲ ହୋଇଥିଲା। ୧୯୧୬ ଅଲିମ୍ପିକ୍ସ ପ୍ରଥମ ବିଶ୍ୱଯୁଦ୍ଧ ବାତିଲ ହୋଇଥିଲା। ସେହିପରି ୧୯୪୦ ଓ ୧୯୪୪ରେ ଉଭୟ ସମର ଅଲିମ୍ପିକ୍ସ ଓ ଶୀତକାଳୀନ ଅଲିମ୍ପିକ୍ସ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ବାତିଲ ହୋଇଥିଲା।
ଉଲ୍ଲେଖଥାଉ କି, କରୋନା ଭାଇରସ ସଂକ୍ରମଣ କାରଣରୁ ସୋମବାର ଅଷ୍ଟ୍ରେଲିଆ ଓ କାନାଡ଼ା ଅଲିମ୍ପିକ୍ସରୁ ସେମାନଙ୍କ ଖେଳାଳିଙ୍କୁ ଓହରିଯିବାକୁ କହିଥିଲା। ଅନ୍ୟପଟେ କହିବାକୁ ଗଲେ ଏହି ଦୁଇ ଦେଶ ଅଲିମ୍ପିକ୍ସରୁ ଏକ ପ୍ରକାର ଓହରିଯାଇଛନ୍ତି କହିଲେ ଭୁଲ ହେବ ନାହିଁ। ବିଶ୍ୱର ବିଭିନ୍ନ ତାରକା କ୍ରୀଡ଼ାବିତ ଓ କ୍ରୀଡ଼ା ସଂଗଠନ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଅପିଲ ମଧ୍ୟ କରିଛନ୍ତି। ତେବେ ଆଗାମୀ ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି।

Share