ସ୍ଥଳଭାଗ ମୁହାଁ ‘ଅମ୍ଫନ୍‌’: ଭୋଗରାଇରେ ଆରମ୍ଭ ହେଲା ବର୍ଷା, ସମୁଦ୍ରକୂଳବାସୀ ଭୟଭୀତ

ଭୋଗରାଇ, ୧୯।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି। ହେଲେ ଏହା ଗତି କରିବା ସମୟରେ ଉପକୂଳ ଓଡ଼ିଶାରେ ବିଶେଷ ପ୍ରଭାବ ପକାଇବ। ମୋଟ ୧୨ଜିଲାକୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି। ଏହାକୁ ନେଇ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି।

ମହାବାତ୍ୟା ମୁକାବିଲା ପାଇଁ ଜିଲାର ଭୋଗରାଇ ଉପକୂଳ ତାଳସାରି, ଉଦୟପୁରରେ ଏନ୍‌ଡିଆର୍‌ଏଫ୍‌ର ୨୧ଜଣିଆ ଟିମ୍‌ ସଜାଗ ରହଛି। ଏଥିସହ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ ରହିବାକୁ କୁହାଯାଉଛି। ୧୦ ପଞ୍ଚାୟତର ତଳିଆ ତଥା ସମୁଦ୍ରକୂଳବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ପ୍ରଚାର କରାଯାଉଛି। ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ପାଚିଲା ଧାନ ଅମଳ ହେବା ସମୟ ହୋଇଥିବା ବେଳେ ଚାଷୀଙ୍କ ପରିବାର ତରବରିଆ ଭାବେ ବିଲରୁ ଧାନ କାଟି ଖଳାକୁ ବୋହି ଆଣୁଥିବା ଦେଖାଯାଉଛି। ମଙ୍ଗଳବାର ଅପରାହ୍ନରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି।