ସ୍ଥଳଭାଗ ମୁହାଁ ‘ଅମ୍ଫନ୍‌’: ସାଗର-ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା; ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ଏବେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ସାଗର ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ରବିବାର ଏକ ଖବjରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି ‘ଅମ୍ଫନ’। ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ। ଏବେର ସ୍ଥିତିକୁ ଦେଖିଲେ ସାଗର ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମ୍ଭାବନା ଦେଖାଦେଇଛି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ପରେ ଏହା ଭୟଙ୍କର ରୂପ ନେବ। ଏହାର ପ୍ରଭାବରେ ୧୮ ତାରିଖ ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ସେହିଭଳି ୧୯ରୁ ଉତ୍ତର ଓ ଉପକୂଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପରେ ୧୯ ଓ ୨୦ରେ ଉତ୍ତର ଉପକୂଳରେ ୭୫ରୁ ୮୫ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଲାଗି ରହିବ।

ଓଡ଼ିଶା ଉପକୂଳ ଦେଇ ଗତି କରିବା ସମୟରେ ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି ପବନର ବେଗ ୧୦୦ କିମି ରହିପାରେ। ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲାକୁ ଆଲର୍ଟ କରାଯାଇଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡ଼ା, ବାଲେଶ୍ୱର, ଭଦ୍ରକରେ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ସେଥିରୁ ଜଗତସିଂହପୁର, କେନ୍ଦ୍ରପଡ଼ା, ବାଲେଶ୍ୱର, ଭଦ୍ରକ ଜିଲା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଜିଲାଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି। ଅଧିକ ତଥ୍ୟ ଆସିଲେ ୧୮ ତାରିଖ ଅପରାହ୍ନରୁ ଉଦ୍ଧାର ଲାଗି ବ୍ୟବସ୍ଥା କରାଯିବ। ହେଲେ ଏଥିଲାଗି ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ବାତ୍ୟାର ସ୍ଥିତିକୁ ଦେଖି ରାଜ୍ୟରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ଏଥିଲାଗି ୭୦୦୦ ହଜାରରୁ ଅଧିକ ବିଲ୍ଡିଂକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ପରିବର୍ତ୍ତନ କରାଯାଉଛି। କରୋନାର ଭୟ ଯୋଗୁ ସାମାଜିକ ଦୂରତା ପାଳନ କରାଯିବା ହେତୁ ଏଭଳି ବ୍ୟବସ୍ଥା କରାଯାଉଛି। ତେବେ ୧୯ ଓ ୨୦ ତାରିଖ ରାଜ୍ୟ ପାଇଁ ଗୁରତ୍ୱପୂର୍ଣ୍ଣ। ଏହି ସମୟରେ ଜନସାଧାରଣଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Share