ସ୍ଥାନାନ୍ତର ହେଲା ବୌଦ୍ଧ ସବ୍‌ଜେଲ

ବୌଦ୍ଧ, ୨।୧୨(ସ୍ବ.ପ୍ର): ବୌଦ୍ଧ ସବ୍‌ଜେଲ୍‌କୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। ୧୯୧୭ ମସିହାରେ ବୌଦ୍ଧ ସହରର ପୁରୁଣା ବ୍ଲକ ଛକ ଠାରେ ସବ୍‌ଜେଲ ନିର୍ମାଣ ହୋଇଥିଲା । ଏହି ସବ ଜେଲରେ ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ନୂତନ କୋଠା ନିର୍ମାଣ କରାଯାଇ ନ ଥିବାରୁ ଅଧିକାଂଶ ସମୟରେ ବନ୍ଦୀମାନଙ୍କ ରହିବା ପାଇଁ ଅସୁବିଧା ଦେଉଥିଲା। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ଠାରୁ ୧୭ କିମି ଦୂର ଲାଣ୍ଡିବନ୍ଧରେ ନୂତନ ଜେଲ ନିର୍ମାଣ କରାଯାଇଥିଲା। ନୂତନ ଜେଲ ନିର୍ମାଣ କରାଯାଇଥିଲେ ମଧ୍ୟ ସ୍ଥାନାନ୍ତର ହୋଇପାରୁ ନ ଥିଲା । ଗତ ଅକ୍ଟୋବର ୧୧ରେ ୫ଟି ସଚିବ ଭି. କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବୌଦ୍ଧ ଜିଲା ଗସ୍ତ କରି ଜିଲା ମୁଖ୍ୟ ଚିକିସତ୍ାଳୟ ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ସୁବିଧା ଓ ଅସୁବିଧା ବୁଝିଥିଲେ । ଏହି ସମୟରେ ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ମୁଖ୍ୟ ଚିକିସତ୍ାଳୟରେ ସ୍ଥାନାଭାବ ଯୋଗୁ ବହୁ ଅସୁବିଧା ହେଉଥିବା କହିଥିଲେ । ସଚିବଙ୍କ ଗସ୍ତର ୫ ଦିନ ପରେ ବୌଦ୍ଧ ଜିଲାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିସତ୍ାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଥିଲା। ପରେ ବୌଦ୍ଧ ଜିଲାପାଳ ନୂତନ ଚିକିସତ୍ାଳୟ ଜେଲ ପରିସରରେ ନିର୍ମାଣ କରାଯିବ ଏବଂ ଜେଲ ନୂତନ କୋଠାକୁ ଯିବ ଓ ଖୁବଶୀଘ୍ର ନୂତନ ଚିକିସତ୍ାଳୟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ରବିବାର ସବ୍‌ଜେଲ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର ହୋଇଛି । ସେହିପରି ସବଜେଲରେ ଥିବା ବନ୍ଦୀମାନଙ୍କୁ କଡା ସୁରକ୍ଷା ମଧ୍ୟରେ ସେଠାକୁ ନିଆଯାଇଛି । ଏ ନେଇ ବୌଦ୍ଧ ସବଜେଲ୍‌ର ଜେଲର ଜନାର୍ଦ୍ଧନ ମଲିକଙ୍କୁ ପଚାରିବାରୁ ସବଜେଲ ଲାଣ୍ଡିବନ୍ଧ ଠାରେ ନିର୍ମାଣ ହୋଇଥିବା ନୂତନ କୋଠାକୁ ସ୍ଥାନାନ୍ତର ହୋଇଛି । ୨୮୩ ଜଣ ବନ୍ଦୀଙ୍କୁ କଡା ସୁରକ୍ଷା ମଧ୍ୟରେ ନୂତନ ଜେଲକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ।