ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ରେଳଷ୍ଟେଶନରୁ ବାହାରି ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲା। ଏହାପରେ ବସ୍ତିବାସିନ୍ଦା ଜିଲାପାଳଙ୍କ ଅଫିସ୍‌ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ସଭାପତି ବେଣୁଧର ବାରିକ ଏହାର ନେତୃତ୍ୱ ନେଇ ଦୀର୍ଘବର୍ଷ ଧରି ସରକାରୀ ଜମିରେ ବାସ କରିଆସୁଥିବା ପରିବାରଙ୍କୁ ବାସସ୍ଥାନର ପଟ୍ଟା ଓ ରାସ୍ତା, ଲାଇଟ୍‌, ପିଇବାପାଣି ଯୋଗାଇ ଦେବାକୁ ଦାବି କରିଥିଲେ। ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନକୁ ଜିଲାରେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ କରିଥିଲେ। ସଂଘର ପ୍ରତିନିଧି ମଣ୍ଡଳଙ୍କ ଦ୍ୱାରା ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ, ଆଇନଜୀବୀ ପଞ୍ଚାନନ ପରିଡ଼ା, ରବୀନ୍ଦ୍ର ବେହେରା ଓ ସେକ୍‌ ସଫିକ୍‌ ଅହମ୍ମଦ ପ୍ରମୁଖ ଅଭିଯୋଗ କରିଥିଲେ ଯେ, ସଦର ତହସିଲଦାର ଭୂମିହୀନମାନଙ୍କଠାରୁ ଆବେଦନପତ୍ର ଗ୍ରହଣ କରୁନାହାନ୍ତି। ଆଇଟିଆଇ ପଛପଟରେ ଥିବା ଅଙ୍ଗାରଗଡ଼ିଆ ମୌଜାର ବସ୍ତିବାସିନ୍ଦାମାନେ ଦୀର୍ଘ ୫୦ବର୍ଷ ଧରି ଯାତାୟତ କରୁଥିବା ରାସ୍ତାକୁ ଗତ ଅଗଷ୍ଟରେ ତହସିଲଦାର ପୋଲିସର ସହାୟତାରେ କଂକ୍ରିଟ୍‌ ପ୍ରାଚୀର ନିର୍ମାଣ କରିଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ଶୋଭାଯାତ୍ରା ଓ ବିକ୍ଷୋଭରେ ଅନୁରାଗ ମହାନ୍ତି, ସବିତା ଜେନା, ବିଦ୍ୟାଧର ବେହେରା, ଭାନୁମତି ନାୟକ, ଦେବକି ଦାସ ଓ ରମେଶଚନ୍ଦ୍ର ପତି ପ୍ରମୁଖ ନେତୃତ୍ୱ ନେଇଥିଲେ।

Share