ସ୍ନାନମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ

ବାରିପଦା ଅଫିସ,୧୬ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତା୍ର ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ସ୍ବତନ୍ତ୍ର। ଜ୍ୟୋଷ୍ଠ ପୂର୍ଣ୍ଣିମା ତିଥିରେ ଏହା ପାରମ୍ପାରିକ ରୀତିରେ ପାଳିତ ହୋଇଥାଏ। ଦ୍ୱିତୀୟ ଶ୍ରୀକ୍ଷେତ୍ର ପରିଚୟ ପାଇଥିବା ବାରିପଦା ଜଗନ୍ନାଥ ମନ୍ଦିରର ସ୍ନାନମଣ୍ଡପରେ ସୋମବାର ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତିରେ ମହାପ୍ରଭୁଙ୍କର ଠାଁ ନୀତି ସରିବା ପରେ ପାଟ ତ୍ୟୋତିଷଙ୍କ ସମୟ ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ନାଗରା ଧ୍ୱନି ବାଜିବ। ପରେ ବିଜୟ କାହାଳୀ, ଘଣ୍ଟଘଣ୍ଟା ଓ ଶଙ୍ଖ ଧ୍ୱନୀ ବଜାଇ ପୂଜାପଣ୍ଡା ରୁପା ଥାଳିରେ ଅଁଳା ପତ୍ର ଓ ଫୁଲ ପୂଜା ସଂସ୍କାର କରିବେ। ଏବଂ ପରେ ମନ୍ଦିର ପରିଚ୍ଛା ଦୁର୍ଗା ଚରଣ ବାବୁ ତିନି ଠାକୁରଙ୍କ ସହ ସୁଦର୍ଶନ, ମଦନମୋହନ, ସରସ୍ବତୀ ଓ ସମସ୍ତ ଶାଳଗ୍ରାମଙ୍କୁ ଅଁଳା ପତ୍ର ଲାଗି କରିବେ। ମନ୍ଦିର ପରିଚ୍ଛା ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଠାକୁରମାନଙ୍କ ଚକାଛଡ଼ା ନୀତି ଅନୁଷ୍ଠିତ ହେବ। ପରେ ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡିଆମାନେ ଭୋଗ ମଣ୍ଡପକୁ ଆଣିବେ। ସେଠାରେ ଠାକୁରମାନଙ୍କର ସ୍ନାନଯାତ୍ରା ବେଶ କରାଯିବା ସହ ରାତ୍ରୀର ଶେଷ ପହଡ଼ ନୀତି ସମ୍ପନ୍ନ ହେବ। ମନ୍ଦିର ମୁଖ୍ୟ ପୁରୋହିତ ଅରୁଣ ମିଶ୍ର ସ୍ନାନମଣ୍ଡପରେ ଅଧିବାସ ପୂଜାନୀତି ଓ ସିଂହାସନକୁ ପ୍ରତିଷ୍ଠା କରିବେ। ପରେ ଠାକୁରଙ୍କ ପହଡ଼ ନୀତି କରାଯାଇ ଭୋର୍‌ ୪ଟା ବେଳକୁ ଠାକୁରମାନେ ପହଣ୍ଡି ହୋଇ ସ୍ନାନମଣ୍ଡପରେ ଥିବା ସିଂହାସନରେ ବିରାଜମାନ ହେବେ। ପରେ ମହାପ୍ରଭୁମାନଙ୍କ ସ୍ନାନ ନୀତି ଆରମ୍ଭ କରାଯିବ।