ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର

ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ ଗଙ୍ଗାଦେବୀଙ୍କୁ ଆବାହନ ପରେ ମହାପ୍ରଭୁମାନଙ୍କ ସ୍ନାନନୀତି ଆରମ୍ଭ ହୋଇଥିଲା । ତିନି ପୂଜକ ସଂକଳ୍ପ କରିବା ପରେ ୧୦୮ କଳସ ଜଳରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା । ସ୍ନାନ ପରେ ଚନ୍ଦନ ଲାଗି କରାଯାଇ ଫୁଲଚୂଳିଆ ବେଶରେ ଠାକୁରଙ୍କୁ ସଜାଯାଇଥିଲା। ପୂଜକମାନେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଅବକାଶ ନୀତି କରିବାପରେ ସହାଣମେଲା ଆରମ୍ଭ ହୋଇଥିଲା। ଠାକୁରଙ୍କ ସ୍ନାନନୀତି ଦେଖିବା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।