ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ

ଜହ୍ନାପଙ୍କ,୩୦।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ ରହିଛି। ହେଲେ ଅର୍ଥାଭାବରୁ ତାହା ସମ୍ଭବ ହେଉ ନ ଥିବା ପରିବାର ଲୋକେ କହିଛନ୍ତି।
ଜନ୍ମହେବା ପରଠାରୁ ନିହାରିକାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ବୟସ ବଢିବା ସହ ଶରୀରର ବିଭିନ୍ନ ଅଙ୍ଗ ଅଚଳ ହୋଇପଡିଛି। ବାପା ଆଦିତ୍ୟ ବେହେରା ସ୍ବଳ୍ପ ରୋଜଗାରରେ ଝିଅର ଚିକିତ୍ସା ଆରମ୍ଭ କରିଛନ୍ତି। ଆଦିତ୍ୟ ପ୍ରଥମେ ନିହାରିକାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଦେଖାଇଥିଲେ। ଡାକ୍ତର ତାଙ୍କୁ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କ ପରାମର୍ଶ କ୍ରମେ ଆଦିତ୍ୟ ଆର୍ଥତ୍କ ସହାୟତା ପାଇଁ ଜିଲାପାଳଙ୍କ ନିକଟରେ ନିବେଦନ କରିଥିଲେ। ନିବେଦନ କ୍ରମେ ତାଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୩ ହଜାର ଟଙ୍କା ସହାୟତା ଦିଆଯାଇଥିବା ଜଣାପଡିଛି। ପରେ ଆଦିତ୍ୟ ଝିଅଙ୍କୁ ବୁର୍ଲା ମେଡିକାଳରେ ଚିକିତ୍ସା କରାଇଥିଲେ। ଚିକିତ୍ସା କରୁଥିବା ଡାକ୍ତର କିଛି ଔଷଧ ଦେଇ ନିହାରିକାଙ୍କ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଯିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଚିକିତ୍ସା ପାଇଁ ପାଖରେ ଟଙ୍କା ନ ଥିବାରୁ ଆଦିତ୍ୟ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଝିଅର ଅଧିକ ଚିକିତ୍ସା ପାଇଁ ଜିଲା ପ୍ରଶାସନ କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢାଇବାକୁ ଆଦିତ୍ୟ ନିବେଦନ କରିଛନ୍ତି।

Share