ସ୍ନେହଲତା ଗଣବଳତ୍କାର, ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ, ୧୧ା୬(ଡି.ଏନ୍‌.ଏ.) ସ୍ନେହଲତା ଛତ୍ରିଆ ଗଣବଳତ୍କାର ଓ ହତ୍ୟା ଘଟଣାକୁ ପାଞ୍ଚ ବର୍ଷ ପୂରଛି। ହେଲେ ଅଦ୍ୟାବଧି ପୀଡିତ ପରିବାରକୁ ନ୍ୟାୟ ମିଳିନାହିଁ। ଘଟଣାର ସିବିଆ ତଦନ୍ତ ଦାବିରେ ପଶ୍ଚିମ ଓଡିଶା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦୁଇଦଫା ସମ୍ବଳିତ ଦାବିପତ୍ର ଖପ୍ରାଖୋଲ ବିଡିଓଙ୍କ ଜରିଆରେ ପ୍ରଦାନ । ସ୍ନେହଲତା ଛତ୍ରିଆଙ୍କୁ ୨୦୧୫ ମେ ୨୨ ତାରିଖରେ ଗଣବଳତ୍କାର ପରେ ହତ୍ୟା କରାଯାଇଥିଲା। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ। ତେବେ ଏହି ଘଟଣାର ବିଶେଷ ଅଗ୍ରଗତି ହୋଇପାରି ନ ଥିଲା। ସେତେବେଳେ ସ୍ନେହଲତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିଲା ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଓ ବ୍ୟବଚ୍ଛେଦ କରି ନ ଥିବା ଡାକ୍ତରଙ୍କ ବିରୋଧରେ ସଙ୍ଗଠନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସ୍ନେହଲତା ଛତ୍ରିଆ ଗଣବଳତ୍କାର ଓ ହତ୍ୟା ଘଟଣା ସିବିଆଇ ତଦନ୍ତ କରାଯିବାକୁ ପଶ୍ଚିମ ଓଡିଶା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ ପକ୍ଷରୁ ଦାବି କରାଯାଇ ପୀଡିତ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖାଯିବ ବୋଲି କୁହାଯାଇଛି। ସଙ୍ଗଠନର ସଭାପତି ଚମ୍ପା ନାଗ, ଉପସଭାପତି ସୁଭଦ୍ରା ସୁନା, ସାଧାରଣ ସମ୍ପାଦିକା ଅରୁଣା ନାଗ, କାର୍ଯ୍ୟକାରୀ ସଦସ୍ୟା ଗୀତାଞ୍ଜଳି ବାଗ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Share