Categories: ଖେଳ

ସ୍ପଟ୍‌ ଫିକ୍ସିଂ ପରେ ଅମିରଙ୍କୁ ମାଡ଼ ମାରିଥିଲେ ଆଫ୍ରିଦୀ

କରାଚୀ,୧୨।୬(ପିଟି): ପାକିସ୍ତାନ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଶାହିଦ ଆଫ୍ରିଦୀ ମାଡ଼ ମାରିବା ପରେ ମହମ୍ମଦ ଅମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଦୋଷ ସ୍ବୀକାର କରିଥିଲେ ବୋଲି ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ କହିଛନ୍ତି। ଆଫ୍ରିଦୀ ମୋତେ ତାଙ୍କ ରୁମରୁ ବାହାରକୁ ଯିବାକୁ କହିଥିଲେ। ରୁମ ବାହାରେ ଚାପୁଡା ମାରିବା ଶବ୍ଦ ଶୁଣାଯାଇଥିଲା। ଏହାପରେ ଅମିର ସବୁକିଛି  କହିଥିଲେ ବୋଲି ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ୩୯ ବର୍ଷୀୟ ପୂର୍ବତନ କ୍ରିକେଟର ରଜାକ କହିଛନ୍ତି। ମୋ ମତରେ ସ୍ପଟ୍‌ ଫିକ୍ସିଂର ତଦନ୍ତ କରିବା ପାଇଁ ଆଇସିସିର ଦ୍ୱାରସ୍ଥ ହେବା ପରିବର୍ତ୍ତେ ପିସିବି ନିଜେ ଏହାର ଭାର ନେବାର ଥିଲା। ଅଭିଯୋଗକୁ ଖଣ୍ଡନ କରୁଥିଲେ ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡ ଉକ୍ତ ୩ ଜଣ ଖେଳାଳିଙ୍କୁ ସ୍ବଦେଶ ଫେରାଇବା ଉଚିତ ଥିଲା। ସେମାନଙ୍କୁ ପିସିବି ବାସନ୍ଦ କରିଥାନ୍ତା। ଏହା ନ କରି ପିସିବି ପାକିସ୍ତାନ କ୍ରିକେଟକୁ ଅନ୍ତର୍ଜାତୀୟ ସ୍ତରରେ ଲୋକହସା କରାଇଥିଲା ବୋଲି ସେ କହିଛନ୍ତି। ଆଇସିସିର ଦୁର୍ନୀତି ବିରୋଧୀ ଟ୍ରିବ୍ୟୁନାଲ ସ୍ପଟ୍‌ ଫିକ୍ସିଂ ମାମଲାର ତଦନ୍ତ କରିବା ପରେ ଅମିରଙ୍କ ସମେତ ସଲମନ ବଟ ଓ ମହମ୍ମଦ ଆସିଫଙ୍କୁ ୫ ବର୍ଷ ଲାଗି ବାସନ୍ଦ କରିଥିଲେ। ବାସନ୍ଦାଦେଶ ଶେଷ କରିବା ପରେ ସମସ୍ତେ କ୍ରିକେଟକୁ ଫେରିଛନ୍ତି। କେବଳ ଅମିର ଜାତୀୟ ଦଳ ଲାଗି ଚୟନ ହେବା ସହ ଚଳିତ ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Share