Categories: ବାଣିଜ୍ୟ

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌ ଭାବେ ଅବତରଣ କରି ନ ଥିବାରୁ ସେମାନଙ୍କୁ ଏହି ଦଣ୍ଡ ମିଳିଛି। ସୂଚନାଥାଉ କି, ଜୁଲାଇ ୨ରେ କୋଇମ୍ବାଟୁର୍‌ରୁ ମୁମ୍ବାଇ ଉଦ୍ଦେଶ୍ୟରେ ଉଡିଥିବା ବି୭୩୭ ବିମାନଟି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ବେଳେ ରନ୍‌ଓ୍ବେର ନିର୍ଦ୍ଧାରିତ ସୀମାଠାରୁ ବହୁ ଦୂରକୁ ଚାଲିଯାଇଥିଲା। ଏହି ବିମାନକୁ ସେତେବେଳେ ଚଳାଉଥିଲେ କ୍ୟାପ୍ଟେନ କରଣ ଗୁଜରାଲ ଓ କ୍ୟାପ୍ଟେନ ଅର୍ପିତ ଗାନ୍ଧୀ। ଡିଜିସିଏ ପକ୍ଷରୁ ସେମାନଙ୍କୁ ଜୁଲାଇ ୪ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୧୫ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନଙ୍କ ଉତ୍ତର ସନ୍ତୋଷଜନକ ନ ଥିବାରୁ ଡିଜିସିଏ ପକ୍ଷରୁ ଉକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଦୁଇ ପାଇଲଟଙ୍କ ଦଣ୍ଡ ଘଟଣାର ତାରିଖ ଠାରୁ ଏକ ବର୍ଷ କାର୍ଯ୍ୟକାରୀ ହେବ।

Share