ସ୍ପା ଆଗରେ ସ୍ବାମୀଙ୍କୁ ପିଟିଲେ ସ୍ତ୍ରୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରତିଦିନ ସ୍ବାମୀ ଲୁଚିକରି ସ୍ପାକୁ ମସାଜ ପାଇଁ ଯାଆନ୍ତି। ହେଲେ ଘରେ କେହି ଜାଣିପାରନ୍ତି ନାହିଁ। ଶେଷରେ ଶୁକ୍ରବାର ସ୍ତ୍ରୀଙ୍କ ହାତରେ ଧରା ପଡ଼ିଗଲେ ସ୍ବାମୀ। ଏହାପରେ ସ୍ତ୍ରୀ ସ୍ପା ସେଣ୍ଟର ଆଗରେ ସ୍ବାମୀଙ୍କୁ ନିସ୍ତୁକ ପିଟିବା ସହ ହୋହଲ୍ଲା କରିଥିଲେ। ସେଠାରେ ସ୍ପା ନଁ।ରେ ସେକ୍ସ ର଼୍ୟାକେଟ ଚାଲୁଥିବା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳରେ ଥିବା ଉକ୍ତ ସ୍ପା ସେଣ୍ଟର ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ସ୍ପା ସେଣ୍ଟରକୁ ଘେରାଉ କରିଥିଲେ। ଖବର ପାଇ ପୋଲିସ ପହଞ୍ଚିବାରୁ ସ୍ପା ସେଣ୍ଟରରେ ଥିବା ଯୁବତୀ ଓ ଗ୍ରାହକମାନେ ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ ଘର ଯାଞ୍ଚ କରିଥିଲେ ମଧ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନ ଥିଲା। ତେବେ ଉକ୍ତ ସ୍ପା ସେଣ୍ଟରର କେୟାର ଟେକରଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଶାସ୍ତ୍ରୀନଗରରେ ଥିବା ଏକ ୩ତାଲା କୋଠାର ଉପର ମହଲାକୁ ଜଣେ ମହିଳା ଭଡ଼ା ନେଇ ସ୍ପା ସେଣ୍ଟର ଖୋଲିଥିଲେ। ଘର ମାଲିକଙ୍କୁ ସେ ମାସକୁ ୧୭ ହଜାର ଟଙ୍କା ଭଡ଼ା ଦେଉଥିଲେ। ପ୍ରତିଦିନ ଉକ୍ତ ସ୍ପା ଆଗରେ ଦାମୀ ଗାଡ଼ିି ଲାଗୁଥିଲା। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଜଣେ ବ୍ୟକ୍ତି ଉକ୍ତ ସ୍ପାକୁ ଯାଇଥିଲେ। ଦୀର୍ଘ ଏକ ଘଣ୍ଟା ପରେ ସେଠାରୁ ବାହାରିଥିଲେ। ଏହି ସମୟରେ ସ୍ପା ଆଗରେ ସ୍ତ୍ରୀଙ୍କୁ ଛିଡ଼ା ହୋଇଥିବା ଦେଖି ହଡ଼ବଡ଼େଇ ଯାଇଥିଲେ। ତେବେ ସ୍ତ୍ରୀ ତାଙ୍କୁ ଛାଡ଼ି ନ ଥିଲେ। ଏଠାକୁ କାହିଁକି ଆସୁଥିଲ କହି ପିଟିଥିଲେ। ସେଠାରେ ଲୋକେ ରୁଣ୍ଡ ହୋଇଯିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Share