କଟକ ଅଫିସ,୩୦।୮: କମିଶନରେଟ୍ ପୋଲିସ ସ୍ପେଶାଲ୍ ସ୍କ୍ବାଡ୍ କହି ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ଘଟଣାରେ ଅଭିଯୁକ୍ତ ଟାଙ୍ଗୀ ଥାନାର ୩ ପୋଲିସ କର୍ମଚାରୀଙ୍କ ଜାମିନ ଖାରଜ ହୋଇଛି। ଏହି ତିନିଜଣ କଟକ ଜେଏମ୍ଏଫସି(ଗ୍ରାମ୍ୟ)ରେ ଜାମିନ ପାଇଁ ଆବେଦନ କରିଥିଲେ। ଅଭିଯୁକ୍ତ କନଷ୍ଟେବଳ ଯୋଗେଶ ପାଣି, ହୋମ୍ଗାର୍ଡ ବ୍ରଜକିଶୋର ପଣ୍ଡା ଓ ସନ୍ତୋଷ ମଲ୍ଲିକ ଜେଲ୍କୁ ଫେରିଛନ୍ତି। ଗତ ୨୧ ତାରିଖ ରାତିରେ ଜଣେ ବ୍ୟବସାୟୀ କୋଲକତାରୁ ଏକ କାର୍ରେ ପରିବାର ସହିତ ଭୁବନେଶ୍ୱର ଫେରୁଥିବାବେଳେ ନିର୍ଗୁଣ୍ଡି ଟୋଲ୍ ଗେଟ୍ ପାଖରେ ଅଭିଯୁକ୍ତମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ସେମାନେ ନିଜକୁ କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାଡ୍ ବୋଲି ପରିଚୟ ଦେଇ ବ୍ୟବସାୟୀଙ୍କ କାର୍କୁ ଯାଞ୍ଚ କରିଥିଲେ। ଏହାପରେ କାର୍ରେ ଥିବା ବାକ୍ସରୁ ସେମାନେ ୧ ଲକ୍ଷ ୪୭ ହଜାର ଟଙ୍କା ଜୋରଜବରଦସ୍ତ ନେଇ ପଳାଇଥିଲେ। ପରଦିନ ସମ୍ପୃକ୍ତ ବ୍ୟବସାୟୀ ଟାଙ୍ଗୀ ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କରିଥିଲେ। ଟାଙ୍ଗୀ ପୋଲିସର ତଦନ୍ତ ପରେ ଲୁଟ୍ରେ ସାମିଲ ଥିବା ଜଣେ କନ୍ଷ୍ଟେବଳ ଓ ଦୁଇଜଣ ହୋମ୍ଗାର୍ଡଙ୍କୁ ଅଟକ ରଖିଥିଲେ। ଏହାପରେ ଟାଙ୍ଗୀ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ୩ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହାପରେ ସେମାନେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।