ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍‌

ଅନୁଗୋଳ ଅଫିସ, ୨୨ା୧୦

ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍‌ ସିରପ୍‌କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି କଫ୍‌ ସିରପର ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ଅସାଧୁ ବ୍ୟବସାୟୀମାନେ ମଧ୍ୟ ଚଢ଼ା ଦରରେ ବିକ୍ରି କରି ବେଶ୍‌ ଭଲ ଆୟ କରୁଛନ୍ତି। ସୋମବାର ଅନୁଗୋଳ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଡେଲି ମାର୍କେଟ୍‌ରେ ଥିବା ଏକ ମେଡିକାଲ ଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ କରିବା ସହ ଜଣଙ୍କୁ ଉଠାଇ ନେଇଛି। ଷ୍ଟୋରର ଅନ୍ୟ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଉକ୍ତ ଷ୍ଟୋରରୁ ୭ ପେଟି (ପାଖାପାଖି ୭୩୦ ବୋତଲ) କଫ୍‌ ସିରପ ଜବତ କରାଯିବା ସହ ତାହାକୁ ସିଲ୍‌ କରାଯାଇଛି।
ସୂଚନା ମୁତାବକ, ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ପୂର୍ବାହ୍ନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ବଜାର ଛକରେ ଥିବା ଏକ ମେଡିସିନ୍‌ ଷ୍ଟୋରରେ ଚଢ଼ାଉ ବେଳେ ବିପୁଳ ପରିମାଣରେ କଫ୍‌ ସିରପ ଜବତ ହୋଇଥିଲା। ଗୋଟିଏ ବୋତଲ ସିରପର ମୂଲ୍ୟ ୧୧୬ ଟଙ୍କା ରହିଥିବାବେଳେ ଏହାକୁ ୨୫୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ତେବେ ଏତେ ପରିମାଣର କଫ୍‌ ସିରପ ଉକ୍ତ ଦୋକାନରେ କାହିଁକି ମହଜୁଦ୍‌ ରଖାଯାଇଥିଲା ଓ ଡାକ୍ତରଙ୍କ ଲେଖା ଆଧାରରେ ବିକ୍ରି କରାଯାଉଥିଲା କି ନାହିଁ ତାହାର ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି। ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ଏପରି ଚଢ଼ାଉ କରିଥିବା ଜଣାପଡ଼ିିଛି। ପୂର୍ବରୁ ସ୍ପେଶାଲ ସ୍କ୍ବାଡ୍‌ର ଏସ୍‌ଆଇ ଦୀନକୃଷ୍ଣଙ୍କ ନେତୃତ୍ୱରେ ବ୍ରାଉନସୁଗାର, ଗଞ୍ଜେଇ ଓ ଅଫିମ କାରବାର କରୁଥିବା ମାଫିଆଙ୍କ ଉପରେ ଚଢ଼ାଉ କରାଯାଇଥିବାରୁ ଏବେ ଏପରି ନିଶାଯୁକ୍ତ କଫ୍‌ ସିରପ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଥିବା ଆଲୋଚନା ହେଉଛି।

Share