Categories: ଖେଳ

ସ୍ପୋଟର୍‌ସ କ୍ଲାଇମ୍ବିଂ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବଢ଼ୁଛି

ଭୁବନେଶ୍ୱର, ୧୯ା୮(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋଟର୍‌ସ କ୍ଲାଇମ୍ବିଂ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ରେ ଗତ ଜୁଲାଇ ୨୬ରୁ ଚାଲିଥିବା ଟ୍ରେନିଂ ପ୍ରତି ଯୁବପିଢ଼ି ଆକୃଷ୍ଟ ହେଉଥିବା ପରିଲକ୍ଷିତ ହୋଇଛି। କମ୍‌ ଦିନ ମଧ୍ୟରେ ୩ ଡଜନରୁ ଅଧିକ ବାଳିକା ବାଳକ ଦୈନିକ ଟ୍ରେନିଂ ନେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ସୈନିକ ସ୍କୁଲ ଓ କିସ୍‌ ସ୍କୁଲର ଛାତ୍ରୀଛାତ୍ର ଅଧିକ ଅଛନ୍ତି। ଦେଶର ଅନ୍ୟତମ ଶ୍ରେଷ୍ଠ କ୍ଲାଇମ୍ବିଂ ସୁବିଧା ଓଡ଼ିଶାରେ ଉପଲବ୍ଧ। ଇଣ୍ଡିଆନ ମାଉଣ୍ଟେନରିଂ ଫାଉଣ୍ଡେଶନ(ଆଇଏମ୍‌ଏଫ୍‌) ପକ୍ଷରୁ ବାଳିକା ବାଳକମାନଙ୍କ ପାଇଁ ସୁରକ୍ଷାଜନିତ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି। ଏମାନଙ୍କ ମଧ୍ୟରେ କେତେଜଣ ଭଲ କ୍ଲାଇମ୍ବର ଏବଂ କୋଚ୍‌ ଅଛନ୍ତି। ସେମାନେ ପିଲାମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରୁଛନ୍ତି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତୀୟ ଦଳ ଏଠାରେ ଏସୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଟ୍ରେନିଂ ନେବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗକ୍ରମେ ଅନ୍ତର୍ଜାତୀୟସ୍ତରୀୟ କୋଚ୍‌ ଅଣାଯାଇ ଭାରତୀୟ ଦଳକୁ ଟ୍ରେନିଂ ଦିଆଯିବ ବୋଲି ଆଇଏମ୍‌ଏଫ୍‌ର ଜାତୀୟ ଅଧ୍ୟକ୍ଷ ବ୍ରିଗେଡିୟର ଏମ୍‌.ପି. ଯାଦବ ପ୍ରକାଶ କରିଛନ୍ତି। ସ୍ପୋଟର୍‌ସ କ୍ଲାଇମ୍ବିଂ ପ୍ରତି ରୁଚି ରଖୁଥିବା ଯୁବ କ୍ଲାଇମ୍ବରଙ୍କୁ ଏହା ନିଶ୍ଚିତଭାବେ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ସ୍ପୋଟର୍‌ସ କ୍ଲାଇମ୍ବିଂର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ, ଆଗାମୀ ଦିନରେ ଏହାର ଫଳାଫଳ ଜଣାପଡ଼ିବ। କେତେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍ପୋଟର୍‌ସ କ୍ଲାଇମ୍ବିଂ ଶିଖାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଆମକୁ ଉତ୍ସାହିତ କରିଛି ବୋଲି ଯାଦବ କହିଛନ୍ତି। ସ୍ପୋଟର୍‌ସ କ୍ଲାଇମ୍ବିଂ ବିଶ୍ୱରେ ଅନ୍ୟତମ ଦ୍ରୁତ ଆଦୃତ କ୍ରୀଡ଼ାରେ ପରିଣତ ହୋଇଛି। ଏହା ଏବେ ଅଲିମ୍ପିକ୍ସ କ୍ରୀଡ଼ା ଭାବେ ପରିଚିତ। ୨୦୨୦ ଜାପାନ ଅଲିମ୍ପିକ୍ସରେ ଏହା ପ୍ରଥମ ପଦାର୍ପଣ କରିବ।

Share