Categories: ଫୁରସତ

ସ୍ବଚ୍ଛତାର ଅଜବ ତରିକା

କାନପୁର: ସ୍ବଚ୍ଛ ଭାରତ ଯୋଜନାକୁ କେମିତି ସଫଳତା ମିଳିବ ତାହା ପାଇଁ ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ଦେଶର ସବୁଆଡେ ଚେଷ୍ଟା କରାଯାଉଛି। କିନ୍ତୁ ଛତିଶଗଡ଼ ଭିଲାଇର ଓ୍ବେଲ୍‌ଫେୟାର ଫାଉଣ୍ଡେଶନ ଯେଉଁ ଉପାୟ ଆପଣାଇଛିି ତାହା ସାରା ଦେଶକୁ ଏକ ସନ୍ଦେଶ ଦେଇଛି। ଏହା ଏକଦମ ବଢ଼ିଆ ଉପାୟ। ଖେଳକୁ ଖେଳ ତା’ସାଙ୍ଗକୁ ଚାଲିଛି ସ୍ବଚ୍ଛତା ଅଭିଯାନ । ଭିଲାଇ ବିକାଶଖଣ୍ଡର ମାଟରା ଗାଁ। ଏହାର ଲୋକସଂଖ୍ୟା ୨୫୦୦। ଏହି ଗାଁରେ ଓ୍ବେଲ୍‌ଫେୟାର ଫାଉଣ୍ଡେଶନ ପ୍ରତି ରବିବାର ଯୁବକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ କରାଉଛି। ଦୁଇଟି ଟିମ୍‌କୁ ସ୍ବଚ୍ଛତା ଦୂତ, ସ୍ବଚ୍ଛତା ସିପାହି ଭାବେ ସ୍ବାଗତ କରାଯାଉଛି। ଦୁଇ ଟିମ୍‌ ପ୍ରଥମେ ଗାଁରେ ମାର୍ଚ୍ଚପାଷ୍ଟ କରି ଖେଳ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଥାନ୍ତି। ଖେଳ ଶେଷ ହେବା ପରେ ଉଭୟ ବିଜେତା ଓ ଉପ ବିଜେତା ଟିମ୍‌କୁ ସମାନ ସମ୍ମାନ ମିଳେ। କିନ୍ତୁ ନିୟମ ମୁତାବକ ମ୍ୟାଚ୍‌ରେ ହାରୁଥିବା ଟିମ୍‌ ସେହି ସପ୍ତାହରେ ଗାଁ ସଫା କରୁଛି। କେବଳ ମାଟରା ନୁହେଁ ଏହାର ଆଖପାଖ ଗାଁରେ ବି ଏହାର ପ୍ରଭାବ ପଡିଛି। ସଂସ୍ଥାର ଏହି ଫର୍ମୁଲାକୁ ଦେଶ ସମ୍ମୁଖରେ ଏକ ମଡେଲ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ସୂତ୍ର କୌଣସି କଠିନ କାର୍ଯ୍ୟକୁ ସରଳ କରିଦେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ସ୍ବଚ୍ଛତାର ଏହି ଅଭିନବ ଉପାୟ ପ୍ରତି ଗ୍ରାମବାସୀ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଓ୍ବେଲ୍‌ଫେୟାର ଫାଉଣ୍ଡେଶନ ଦୋକାନୀଙ୍କୁ ଝାଡୁ ଓ ଡଷ୍ଟବିନ ବାଣ୍ଟିବା ସହ ବର୍ଜ୍ୟକୁ ଅଲଗା ରଖିବାକୁ ଗାମବାସୀଙ୍କୁ ବସ୍ତା ବାଣ୍ଟୁଛି। ଏହି ସଂସ୍ଥାର ସମ୍ପାଦକ କହନ୍ତି, ଗାମବାସୀଙ୍କ ମଧ୍ୟର ଅଧିକାଂଶ ଶ୍ରମିକ ଓ କୃଷକ। ତଥାପି ଏମାନଙ୍କ ଚିନ୍ତାଧାରା ପୂରା ଭିନ୍ନ। ଏମାନେ ସଂସ୍ଥାକୁ ପୂରା ସହଯୋଗ କରି ସ୍ବଚ୍ଛତାକୁ ଆଗକୁ ବଢାଇବାରେ ଲାଗିଛନ୍ତି। ସ୍ବଚ୍ଛତାର ଏହି ସୁନ୍ଦର ଉପାୟ ଯଦି ପ୍ରତି ଗାଁ ଓ ସହର ଆପଣାଇ ପାରନ୍ତେ ତେବେ ସ୍ବଚ୍ଛତା ଶୀଘ୍ର ଆସିପାରନ୍ତା।

Share