ସ୍ବଚ୍ଛ ପୃଥିବୀ ଆଡ଼କୁ ପାଦେ

ସୁଜାତା ପ୍ରହରାଜ

ଗୋଟିଏ ଦେଶର ସାମଗ୍ରିକ ବିକାଶ ପାଇଁ ଶକ୍ତିର ଭୂମିକା ସର୍ବାଧିକ। ମଧ୍ୟପ୍ରାଚ୍ୟର ଛୋଟଛୋଟ ଦେଶଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଭାରତ ପରି ଏକ ବିକାଶଶୀଳ ଦେଶରେ ଶକ୍ତିକ୍ଷେତ୍ରରେ ଅନେକ ବିରୋଧାଭାସ ଦେଖିବାକୁ ମିଳେ। ଶକ୍ତି ଉତ୍ପାଦନରେ ଭାରତ ବହୁ ପଛରେ କିନ୍ତୁ ଶକ୍ତି ବ୍ୟବହାରରେ ବହୁତ ଆଗରେ। ଏଠାରେ ଅର୍ଦ୍ଧାଧିକ ଲୋକ ଜାଳେଣି ପାଇଁ ରନ୍ଧନ ଗ୍ୟାସ୍‌ କିଣିବାକୁ ସକ୍ଷମ ନ ହୋଇ କାଠ, କୋଇଲା ବ୍ୟବହାର କରୁଥିବା ବେଳେ ଧନୀକଶ୍ରେଣୀର ଲୋକଙ୍କ ଘରେ ଯାନବାହନର ଧାଡ଼ି ଲାଗିଥାଏ। ଭାରତୀୟ ଉଦ୍ୟୋଗ ଆଜି ମଧ୍ୟ କୋଇଲା ଉପରେ ଅତିଶୟ ନିର୍ଭରଶୀଳ। ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ଯୋଗୁ ଦେଶ ସମୁଦାୟ ଇନ୍ଧନ ତୈଳ ଚାହିଦାର ୮୪% ଓ ପ୍ରାକୃତିକ ଗ୍ୟାସ୍‌ ଚାହିଦାର ୫୬% ଆମଦାନୀ କରିବାକୁ ବାଧ୍ୟ, ଯାହା ଫଳରେ ପ୍ରତିବର୍ଷ ବୈଦେଶିକ ମୁଦ୍ରାର ଏକ ବୃହତ୍‌ ଅଂଶ ଏ ବାବଦରେ ଖର୍ଚ୍ଚ ହୁଏ। ଏହା ସହିତ ଅଙ୍ଗାରକ ନିର୍ଗମନରେ ଭାରତ ପୃଥିବୀରେ ତୃତୀୟ।
ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଅଙ୍ଗାରକ ଉତ୍ସର୍ଜନକୁ ଧୀରେଧୀରେ ହ୍ରାସ କରି ୨୦୭୦ରେ ଏହାକୁ ଶୂନ୍ୟ(ନିଟ-ଜିରୋ) କରିବାର ପ୍ରତିବଦ୍ଧତା ଭାରତ ବିଶ୍ୱସମୁଦାୟ ପାଖରେ ଉପସ୍ଥାପନ କରିଛି। ଏହା ସହିତ ଅଣପାରମ୍ପରିକ ନବୀକରଣୀୟ ଶକ୍ତିଉତ୍ସକୁ ଆଧାର କରି ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଏବଂ ଅଧିକ ଅଶୋଧିତ ଇନ୍ଧନ ତୈଳ ଓ ଗ୍ୟାସ୍‌ ଆମଦାନୀକୁ ଯଥାସମ୍ଭବ କମ୍‌ କରି ବୈଦେଶିକ ମୁଦ୍ରା ନିର୍ଗମନକୁ ସୀମିତ କରିବାର ଏକ ସହଜ ସାଧନ ହେଉଛି ଜୈବଇନ୍ଧନ (ବାୟୋଫୁଏଲ)। ଏହି ସମସ୍ତ ଲକ୍ଷ୍ୟକୁ ଆଖିରେ ରଖି କେନ୍ଦ୍ର ସରକାର ୨୦୧୮ରେ ଆଗତ କରିଥିଲେ ଜାତୀୟ ଜୈବଇନ୍ଧନ ନୀତି।
ବିକାଶ ସହିତ ତାଳ ଦେଇ ଦେଶରେ ବଢ଼ି ଚାଲିଛି ଯାନବାହନ ସଂଖ୍ୟା। ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ରୀଷ୍ମଋତୁର ଅବଧି ଦୀର୍ଘ ହେବା ସହିତ ଜମିର ଶୁଷ୍କତା ବୃଦ୍ଧି ପାଉଛି। ଏହା ବ୍ୟତୀତ ଭୂତଳ ଜଳର ଅତ୍ୟଧିକ ଉତ୍ତୋଳନ ଯୋଗୁ ତା’ର ସ୍ତର କମିକମି ଯାଉଛି। ଏହା ଫଳରେ ଅଧିକ ଶକ୍ତିବିଶିଷ୍ଟ ଡିଜେଲଚାଳିତ ପାଣିପମ୍ପକୁ ଅଧିକ ସମୟ ଚଲାଇ ଫସଲକୁ ଜଳଯୋଗାଣ କରିବାକୁ କୃଷକ ବାଧ୍ୟ ହେଉଛି। ଜୀବାଶ୍ମ ଇନ୍ଧନର ବ୍ୟବହାର ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ହୋଇଛି। ମକା ଓ ଆଖୁ ଫସଲର ଗଛ ଓ ଖଦା, ଅମଳ ପରେ ଧାନ ଗହମ ଆଦି ଶସ୍ୟ ଗଛ, ଅଗାଡ଼ି, ଚଷୁ, ତୈଳବୀଜ ଜାତୀୟ ଫସଲରୁ ତୈଳ ନିଷ୍କାସନ ପରେ ବାହାରୁଥିବା ଉଦବୃତ୍ତ – କୃଷକମାନେ ଏସବୁକୁ ପୋଡ଼ିବା ଫଳରେ ବ୍ୟାପକ ଧୂଆଁ ଓ ଅତିକ୍ଷୁଦ୍ର ଅଙ୍ଗାରଖଣ୍ଡ ବାୟୁମଣ୍ଡଳରେ ମିଶି ତାକୁ ପ୍ରଦୂଷିତ କରିଥାଏ। କୃଷିକ୍ଷେତ୍ରର ଏହି ଦୁଇ ସମସ୍ୟାର ସମାଧାନର ସୂତ୍ର ଜୈବଇନ୍ଧନ ଦେଇ ପାରିଛି।
ଇଥାନଲ (ବାୟୋପେଟ୍ରୋଲ), ବାୟୋଡିଜେଲ ଓ ବାୟୋଗ୍ୟାସ ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନର ବହୁବିଧ ଋଣାତ୍ମକ ପ୍ରତିକ୍ରିୟାକୁ ନିବାରଣ କରିପାରିବ। ଇଥାନଲର ୯୦ ଭାଗ ଆଖୁଗଛରୁ ଆସୁଥିବା ବେଳେ ବାୟୋଡିଜେଲ ତୈଳବୀଜର ଏବଂ କମ୍ପ୍ରେସ୍‌ଡ ବାୟୋଗ୍ୟାସ ବିଭିନ୍ନ ନଷ୍ଟ ଜୈବଉତ୍ପାଦନରୁ ମିଳିଥାଏ। ୨୦୧୮ରେ ଆରମ୍ଭ ହୋଇଥିବା ସସ୍ଟେନେବଲ ଅଲ୍ଟର୍ନେଟିଭ ଟୁୱାଡର୍‌ସ ଏଫୋଡେବଲ ଟ୍ରାନ୍ସପୋର୍ଟେଶନ ଯୋଜନାରେ ବାର୍ଷିକ ୧୫ ନିୟୁତ ଟନ୍‌ କମ୍ପ୍ରେସ୍‌ଡ ବାୟୋଗ୍ୟାସ ଉତ୍ପାଦନ ପାଇଁ ୫ ହଜାର କାରଖାନା ସ୍ଥାପନର ପ୍ରସ୍ତାବ ରହିଛି। ଏହା କଳକାରଖାନା ଓ ପରିବହନ କ୍ଷେତ୍ରରେ ଉତ୍ତମ ସ୍ବଚ୍ଛ ନବୀକରଣୀୟ ଶକ୍ତି ରୂପେ ବ୍ୟବହୃତ ହେବ।
ଭାରତରେ ଜୈବଇନ୍ଧନ ବ୍ୟବହାର ଓ ତା’ର ଉତ୍ପାଦନ ଶିଶୁ ଅବସ୍ଥାରେ। ପେଟ୍ରୋଲ ବଦଳରେ ଇଥାନଲର ବ୍ୟବହାର ଏକ ଦୀର୍ଘ ପ୍ରକ୍ରିୟା। ଧୀରେଧୀରେ ଏହା ଗତିଶୀଳ ହେଉଛି ପେଟ୍ରୋଲ-ଇଥାନଲ ବ୍ଲେଣ୍ଡିଂ(ମିଶ୍ରଣ) ମାଧ୍ୟମରେ। ଭାରତରେ ୨୦୦୩ରେ ପ୍ରଥମେ ଇଥାନଲମିଶ୍ରିତ ପେଟ୍ରୋଲ ବ୍ୟବହାର ଆରମ୍ଭ ହୋଇଥିଲା। ଭାରତର ସମସ୍ତ ଇନ୍ଧନତୈଳ ବିକ୍ରେତା କମ୍ପାନୀଙ୍କ ପାଇଁ ୧୦% ମିଶ୍ରଣ (ପେଟ୍ରୋଲ ୯୦%, ଇଥାନଲ ୧୦% ) ସରକାର ସ୍ଥିର କରିଥିଲେ। ଧାର୍ଯ୍ୟ ସମୟ ପୂର୍ବରୁ କମ୍ପାନୀମାନେ ଏହା ପୂରଣ କରି ୨୦୨୨ଠାରୁ ବିକ୍ରୟ କରୁଛନ୍ତି। ଏହି ମାତ୍ରାକୁ ୨୦୨୫-୨୬ ସୁଦ୍ଧା ୨୦%କୁ ବୃଦ୍ଧି କରାଯିବାକୁ ସ୍ଥିର କରାଯାଇଛି। ଗତ ଆଠବର୍ଷରେ ଇଥାନଲ ବ୍ଲେଣ୍ଡିଂ ଯୋଗୁ ୪୧୮୦୦ କୋଟି ଟଙ୍କାର ବୈଦେଶିକମୁଦ୍ରା ସଞ୍ଚିତ ହୋଇଛି, ୨୭ ଲକ୍ଷ ମେଟ୍ରିକ୍‌ ଟନ୍‌ ମାରାତ୍ମକ ସବୁଜଗୃହ ବାଷ୍ପ କମ୍‌ ନିର୍ଗମନ ହୋଇଛି ଏବଂ କୃଷକମାନେ ୪୦୬୦୦ କୋଟି ଟଙ୍କାର ଲାଭ ପାଇ ପାରିଛନ୍ତି।
ଭାରତରେ ଜୈବଇନ୍ଧନର ଭବିଷ୍ୟତ ଉଜ୍ଜ୍ବଳ। ଏହା ଆଖୁ, ମକା, ତୈଳବୀଜ ଉତ୍ପାଦନ ଓ ତଜ୍ଜନିତ ଶିଳ୍ପକୁ ପ୍ରୋତ୍ସାହିତ କରିବ। ଦେଶର ଅନୁର୍ବର ନିଷ୍ଫଳା ଜମିକୁ ଜୈବଇନ୍ଧନର କଞ୍ଚାମାଲ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। କୃଷକ କୃଷିବିବିଧତା ଆପଣେଇବେ। ସେମାନଙ୍କର ଆୟ ବୃଦ୍ଧି ହେବା ସହିତ ଜମିର ଉତ୍ପାଦିକାଶକ୍ତି ବଢ଼ିବ। କିନ୍ତୁ ଏସବୁ ସକାରାତ୍ମକ ଦିଗ ସତ୍ତ୍ୱେ ଏଥିରେ ଅନେକ ଆହ୍ବାନ ରହିଛି। ଖାଦ୍ୟଶସ୍ୟ ଉତ୍ପାଦନ ଜମିକୁ ଆଖୁ, ମକା ଇତ୍ୟାଦି ଚାଷ ପାଇଁ ବ୍ୟବହାର କରାଗଲେ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଯିବ, ସେସବୁର ଦର ବିଢ଼ିବ ଏବଂ ଖାଦ୍ୟଶସ୍ୟର ଆମଦାନୀ କରିବାକୁ ପଡ଼ିବ। ଏଥିପାଇଁ ଯଦି ଜଙ୍ଗଲଜମିକୁ ବ୍ୟବହାର କରାଯାଏ ଜୈବବିବିଧତାରେ ଅସନ୍ତୁଳନ ଦେଖାଦେବ। ଏସବୁ ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ।
୨୦୨୩ ସେପ୍ଟେମ୍ବର ୯ ଓ ୧୦ରେ ଭାରତରେ ହୋଇଥିବା ଜି-୨୦ ସମ୍ମିଳନୀରେ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ବିଶ୍ୱ ଜୈବଇନ୍ଧନ ସଂଗଠନ ସୃଷ୍ଟି କରାଯାଇଛି। ୧୯ଦେଶ ଓ ୧୨ ଅନ୍ତର୍ଜାତୀୟ ସଂସ୍ଥା ଏହି ସଂଗଠନର ସଦସ୍ୟ ହେବାକୁ ରାଜି ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଜି-୨୦ ଗୋଷ୍ଠୀର ସଦସ୍ୟ ନ ଥିବା ଆଉ ୯ ଦେଶ ସହମତି ପ୍ରକାଶ କରିଛନ୍ତି। ଜୈବଇନ୍ଧନର ଉତ୍ପାଦକ ଦେଶମାନଙ୍କର ମିଳିତ ପ୍ରୟାସରେ ବିଶ୍ବରେ ଶକ୍ତି ପରିବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବା ଏହାର ମୌଳିକ ଉଦ୍ଦେଶ୍ୟ। ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ସ୍ବଚ୍ଛ ଓ ନବୀକରଣୀୟ ଶକ୍ତି ଉତ୍ସ ଜୈବଇନ୍ଧନର ଉତ୍ପାଦନ ପାଇଁ ଆର୍ଥିକ, ବୈଷୟିକ ଓ ପରିଚାଳନାଗତ ସାହାଯ୍ୟ ସହଯୋଗ ଏବଂ ଏହାର ବଜାରୀକରଣ ପାଇଁ ଭାଗୀଦାରି ମାଧ୍ୟମରେ ପୃଥିବୀର ସବୁ ଦେଶରେ ଜୈବଇନ୍ଧନର ପ୍ରଚାର ପ୍ରସାର କରିବା ଏହି ସଂଗଠନର ଲକ୍ଷ୍ୟ। ଏହି ମିଳିତ ପ୍ରୟାସ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ପ୍ରମୁଖ ଅସ୍ତ୍ର ହୋଇପାରିବ। ଏହି ସଂଗଠନର ସୃଷ୍ଟି ଭାରତ ପାଇଁ କେବଳ ଶକ୍ତିକ୍ଷେତ୍ରରେ ପରିବର୍ତ୍ତନ ଓ ସ୍ବାବଲମ୍ବନଶୀଳତା ଆଣିବନି। ଏହା ଭାରତର ଅର୍ଥନୈତିକ ବିକାଶ ଓ ଭୂରାଜନୈତିକ ଗୁରୁତ୍ୱ ବୃଦ୍ଧିକରିବାରେ ସାହାଯ୍ୟ କରିବ।
SujataPraharaj<praharajs18@gmail.com>