ସ୍ବଚ୍ଛ ଭାରତ ଅଭିଯାନ ବାଟବଣା, ପାଇଖାନା ନିର୍ମାଣ ହୋଇଛି କାମରେ ଆସୁନି

ମାଲକାନଗିରି,୯ା୧୨(ଡି.ଏନ.ଏ.)-  ଚଳିତ ବର୍ଷ ଅକ୍ଟୋବର ୨ରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସ୍ବଚ୍ଛ ଭାରତ ମିଶନ ଅଭିଯାନ ମାଧ୍ୟମରେ ସମଗ୍ର ଦେଶକୁ ବାହ୍ୟ ମଳତ୍ୟାଗ ମୁକ୍ତ ଘୋଷଣା ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ସହରଠାରୁ ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇଖାନା ଯୋଗାଇ ଦେବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଖଜୁରିଗୁଡା ଗ୍ରାମରେ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଛି ା ଏଠାକାର ଲୋକେ ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏପରି ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଶୌଚାଳୟ ନିର୍ମାଣ ସମ୍ଭବ ନ ହେବାରୁ ସରକାରୀ ସ୍ତରରେ ଲୁହାରେ ନିର୍ମିତ ପାଇଖାନା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଅପହଞ୍ଚ ଅଞ୍ଚଳକୁ ଲଞ୍ଚ ଯୋଗେ ଆସିଥିଲା ଲୁହାରେ ତିଆରି ଶୌଚାଳୟ ସାମଗ୍ରୀ ା ମାତ୍ର ଉକ୍ତ ଶୌଚାଳୟ ଉପଯୁକ୍ତ ନିୟମ ଅନୁଯାୟୀ ନିର୍ମାଣ ହୋଇ ନ ଥିବାରୁ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ଏକପ୍ରକାର ପାଣିରେ ପଡିଛି। ଏଗୁଡ଼ିକ ବଣବୁଦା ମଧ୍ୟରେ କରାଯିବା ସହ ଏଠାରେ କୌଣସି ଗାତ ନ ଖୋଳି କେବଳ ପ୍ଲାଷ୍ଟର କରି ବସାଯାଇଛି ା ଲୁହା ତିଆରି ଘରକୁ କେବଳ ମାଟି ଉପରେ ରଖାଯାଇଛି ା ଆଉ କେତେକ ଘର ଉପରେ ଛାତ ମଧ୍ୟ ନାହିଁ ା କେତେକ ସ୍ଥାନରେ କାଠ ସାହାଯ୍ୟରେ ଢେରା ଦେଇ ରଖି ଏବାବଦ ଅର୍ଥ ଉଠାଇ ନିଆଯାଇଛି ବୋଲି ଗ୍ରାମର ଗୁରୁ କିରସାନିି ଓ ବ୍ରୁସ ମୁଦୁଲି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏହି ଶୌଚାଳୟକୁ ବ୍ୟବହାର କରି ନ ପାରି ପୂର୍ବଭଳି ଖୋଲାରେ ଶୌଚ କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନର ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁ ଅଞ୍ଚଳରେ ପାଇଖାନା ନିୟମ ଅନୁଯାୟୀ ନିର୍ମାଣ କରାଯାଇନାହିଁ, ସେଠାରେ ଅର୍ଥ ପୈଠ ହୋଇନାହିଁ ା ପାଇଖାନା ନିର୍ମାଣ ପରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କଠାରୁ ରିପୋର୍ଟ ପାଇବା ପରେ ହିଁ ଅର୍ଥ ପୈଠ କରାଯିବ ବୋଲି ରାଉତ କହିଛନ୍ତି।