Categories: ରାଜ୍ୟ

ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ବଞ୍ଚତ୍ତ କୁନ୍ତଳା

ନୟାଗଡ଼ ଅଫିସ,୨୦ା୬: ନୟାଗଡ଼ର ଅଧିକାଂଶ ସହରବାସୀଙ୍କ ପାଇଁ ରହିଛି ଚକଚକ୍‌ ମାର୍ବଲ ସାଙ୍ଗକୁ ଇଟାଲିଆନ୍‌ ପ୍ୟାନ୍‌ ଥିବା ପାଇଖାନା। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁସାରେ ଯାହାର ପାଇଖାନା ନ ଥିବ ତାଙ୍କ ପାଇଁ ପାଇଖାନା ନିର୍ମାଣ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ନୟାଗଡ଼ ପୌର ପରିଷଦର ୬ ନମ୍ବର ୱାର୍ଡ଼ ଚେକ୍‌ଗେଟ ଶଗଡ଼ିଆ ସାହିର କୁନ୍ତଳା ପଲେଇ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ। ସେ ଦୀର୍ଘବର୍ଷ ଧରି ଜରିପାଲକୁ ଏକାଠି କରି ତିଆରି କରିଛନ୍ତି ପାଇଖାନା। ବର୍ଷାଦିନେ ଏଥିଯୋଗୁ ସେ ବହୁ ହଇରାଣ ହରକତ ହୋଇଥାନ୍ତି। ସୂଚନାଯୋଗ୍ୟ, ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳ ପାଇଖାନା ପାଇଁ ୧୨ ହଜାର ଓ ସହରାଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ପାଇଁ ୮ ହଜାର ଟଙ୍କାର ଅନୁଦାନ ରହିଛି। ହେଲେ ଏ ବିଷୟରେ କେହି ଜଣାଇ ନାହାନ୍ତି ବୋଲି କୁନ୍ତଳା କହନ୍ତି। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ବାମୀ ଗୋବିନ୍ଦଙ୍କ ସହ ଏକ ଆଜବେଷ୍ଟସ୍‌ ଘରେ ରହୁଥିବାବେଳେ ୩ ପୁଅ ଅଲଗା ରହନ୍ତି। ଜାତୀୟ ରାଜପଥ ୫୭ ନଂ ରାସ୍ତା ପାର୍ଶ୍ୱରେ କୁନ୍ତଳାଙ୍କ ଘର। ତେବେ ତାଙ୍କର ଏହି ଭଙ୍ଗାଦଦରା ପାଇଖାନାଟି ପ୍ରତି କେମିତି କାହାର ନଜର ପଡ଼ିନି ତାହା ବିସ୍ମୟ ପାଲଟିଛି। ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ ୮ ତାରିଖରେ ନୟାଗଡ଼ ସହରରକୁ ଖୋଲା ଶୌଚମୁକ୍ତ ସହର ଭାବେ ଘୋଷଣା କରାଯାଇଥିଲା। ନିୟମାନୁସାରେ ଯାହା ଘରେ ଲାଟିନ୍‌ ନାହିଁ ସେମାନଙ୍କୁ ପାଇଖାନା ନିମନ୍ତେ କାର୍ଯ୍ୟାଦେଶ ଦିଆଯିବ। ତେବେ କେଉଁ କାରଣରୁ କୁନ୍ତଳାଙ୍କୁ ପାଇଖାନା ଦିଆଯାଇନାହିଁ ତାହା ତଦନ୍ତସାପେକ୍ଷ ବୋଲି ଅନେକ କହନ୍ତି। କେତେକ କ୍ଷେତ୍ରରେ ପୁୁରୁଣା ଲାଟିନ୍‌ ପ୍ୟାନ୍‌କୁ ରଙ୍ଗ କରି ଅନେକ ହିତାଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶଯୋଗ୍ୟ, ନୟାଗଡ଼ ପୌର ପରିଷଦସ୍ଥ ୧୩ଟି ୱାର୍ଡ଼ରେ ୪୦୪୬ ପରିବାର ରହୁଛନ୍ତିି। ଏଥିରୁ ୮୦୦ ପରିବାରରେ ପାଇଖାନା ନ ଥିବା ସର୍ଭେରୁ ଜଣାପଡ଼ିବା ପରେ ୬୦୦ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ୨୦୦ ହିତାଧିକାରୀ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପରିଷଦର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

Share