ସ୍ବତନ୍ତ୍ର କାଉଣ୍ଟରରେ ଆଳୁ, ପିଆଜ ବିକ୍ରି କରିବ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ, ୨୭।୩-କରୋନା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗୁରୁବାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଲକ୍‌ଡାଉନସ୍ଥିତି ସମ୍ପର୍କରେ ଜିଲାପାଳ ସମୀକ୍ଷା କରି ପନିପରିବା, ରାଶନ ସାମଗ୍ରୀ ମୂଲ୍ୟ ଯେପରି ବୃଦ୍ଧି ନ ହୁଏ ଏବଂ ସମସ୍ତ ଦୋକାନୀ ନିଜ ଦୋକାନ ସାମ୍ନାରେ ମୂଲ୍ୟସୂଚୀ ନିଶ୍ଚିତ ଲଗାଇବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଆଳୁ ଓ ପିଆଜ ଦର ଉପରେ ନିୟନ୍ତ୍ରଣ ଲାଗି ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି) ମାଧ୍ୟମରେ ସ୍ବତନ୍ତ୍ର କାଉଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରୁଥିବା ସୁପର ମାର୍କେଟର ପ୍ରତିନିଧିମାନେ ହୋମ ଡେଲିଭରି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।