Categories: ଖେଳ

ସ୍ବତନ୍ତ୍ର କ୍ଲବରେ ଓ୍ବାଟଲିଂ

ମାଉଣ୍ଟ ମାଉନଗାନୁଇ,୨୪।୧୧- ଶହେରୁ ଅଧିକ ବର୍ଷର ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ କେବଳ ୯ ଜଣ ଉଇକେଟକିପର ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିଛନ୍ତି। ଏହି କ୍ଲବରେ ସଦ୍ୟତମ ଖେଳାଳି ଭାବେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡର ବି. ଜେ. ଓ୍ବାଟଲିଂ। ସେ ଦେଶର ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ହାସଲ କରିଛନ୍ତି। ଓ୍ବଲଟିଂ ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟର ୪ର୍ଥ ଦିନରେ ଦ୍ୱିଶତକ ପୁରଣ କରିଛନ୍ତି। ୩୪ ବର୍ଷୀୟ ଖେଳାଳି ୪୭୩ ବଲର ସମ୍ମୁଖୀନ ହୋଇ ୨୦୫ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨୪ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ଥିଲେ ବ୍ରେଣ୍ଡନ ମ୍ୟାକ୍‌କୁଲମ। ସେ ୨୦୧୦ରେ ବାଂଲାଦେଶ ବିପକ୍ଷରେ ହାମିଲଟନଠାରେ ୧୮୫ ରନ୍‌ କରିଥିଲେ। ତେବେ ବିଶ୍ୱ କ୍ରିକେଟରେ ଜିମ୍ବାଓ୍ବେର ପୂର୍ବତନ ଖେଳାଳି ଆଣ୍ଡି ଫ୍ଲାଓ୍ବାରଙ୍କ ନାମରେ ଜଣେ ଉଇକେଟକିପର ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ରହିଛି। ସେ ୨୦୦୦ରେ ନାଗପୁରଠାରେ ଭାରତ ବିପକ୍ଷରେ ୨୩୨ ରନ୍‌ କରିଥିଲେ। ତାଙ୍କ ପଛକୁ କୁମାର ସଙ୍ଗକାରା (ପାକିସ୍ତାନ ବିପକ୍ଷରେ ଲାହୋରଠାରେ ୨୩୦) ରହିଛନ୍ତି। ଏହି ତାଲିକାରେ ପୂର୍ବତନ ଭାରତୀୟ ଅଧିନାୟକ ତଥର ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ୩ୟ ସ୍ଥାନରେ ରହିଛନ୍ତି। ସେ ଚେନ୍ନାଇଠାରେ ଅଷ୍ଟ୍ରେଲିଆର ବିପକ୍ଷରେ ୨୨୪ ରନ୍‌ର ଇନିଂସ ଖେଳିଥିଲେ।

Share