ସ୍ବତନ୍ତ୍ର ତାଲିକାରେ ବିଜୟ ଶଙ୍କର

ମାଞ୍ଚେଷ୍ଟର,୧୭।୬- ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍‌ ଇତିହାସର ୩ୟ ବୋଲର ଭାବେ ପ୍ରଥମ ବଲରେ ଉଇକେଟ ନେବାର ସଫଳତା ପାଇଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ର ୫ମ ଓଭରରେ ଇମାମ ଉଲ୍‌ ହକ୍‌ଙ୍କୁ ଆଉଟ୍‌କରି ସେ ଏହି ଏଲିଟ୍‌ ତାଲିକାରେ ସ୍ଥାନ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି। ମ୍ୟାଚ୍‌ର ୪.୪ ଓଭରରେ ଭୁବନେଶ୍ୱର କୁମାର ଆହତ ହୋଇ ପ୍ୟାଭିଲିଅନ ଫେରିଯାଇଥିଲେ। ତାଙ୍କ ଓଭର ପୂରା କରିବା ଲାଗି ବିଜୟଙ୍କୁ ଡକରା ଦେଇଥିଲେ ଅଧିନାୟକ ବିରାଟ କୋହଲି। ସେ ପ୍ରଥମ ବଲରେ ବାମହାତୀ ବ୍ୟାଟ୍ସମ୍ୟାନ ଇମାମଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ସ୍ବତନ୍ତ୍ର ତାଲିକାରେ ଶଙ୍କରଙ୍କ ବ୍ୟତୀତ ବରମୁଡାର ମାଲଚି ଜୋନ୍ସ ଓ ଅଷ୍ଟ୍ରେଲିଆର ଇଆନ ହାର୍ଭି ରହିଛନ୍ତି। ୨୦୦୭ ବିଶ୍ୱକପ୍‌ ସଂସ୍କରଣରେ ବରମୁଡାର ଜୋନ୍ସ ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କୁ ବିଶ୍ୱକପ୍‌ର ପ୍ରଥମ ବଲରେ ଆଉଟ୍‌ କରିଥିଲେ। ହାର୍ଭି ବିଶ୍ୱକପ୍‌ରେ ବୋଲିଂ କରିଥିବା ପ୍ରଥମ ବଲରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲିମ ଇଲାହିଙ୍କୁ ପ୍ୟାଭିଲିଅନ ବାଟ ଦେଖାଇଥିଲେ।

Share