Categories: ଅନୁଗୋଳ

ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଉଦ୍‌ଘାଟିତ

ଅନୁଗୋଳ ଅଫିସ୍‌, ୨୯।୨ – ଅନୁଗୋଳ ଜିଲା କୋର୍ଟର ଦ୍ୱିତୀୟ ମହଲାରେ ଥିବା ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଉଦ୍‌ଘାଟିତ ହୋଇଯାଇଛି। ଜିଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଏହି ଅଦାଲତକୁ ଉଦ୍‌ଘାଟନ କରିଥିଲେ। ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ, ଯୌନ ନିର୍ଯାତନା ଭଳି ଅପରାଧ ଏହି ଅଦାଲତରେ ବିଚାର କରାଯିବ। ପୂର୍ବରୁ ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲା ସମେତ ଅନ୍ୟାନ୍ୟ ମାମଲାର ବିଚାର କରାଯାଉଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କୋର୍ଟରେ ଏବେ ସ୍ବତନ୍ତ୍ର ଭାବେ କେବଳ ପୋକ୍ସୋ ମକଦ୍ଦମାର ବିଚାର କରାଯିବ। ଫଳରେ ବିଭିନ୍ନ ପୋକ୍ସୋ ମକଦ୍ଦମାର ଶୀଘ୍ର ବିଚାର କରାଯାଇ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ବୋଲି ଜିଲା ଓ ଦୌରାଜଜ୍‌ କହିଛନ୍ତି। ଏହି କୋର୍ଟ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି (ଭିଜିଲାନ୍ସ) ରୂପଶ୍ରୀ ଚୌଧୁରୀ, ପରିବାର ଅଦାଲତର ବିଚାରପତି ସୌମେନ୍ଦ୍ର ରାଜଗୁରୁ, ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି (ପୋକ୍ସୋ) ପ୍ରଭାକର ଗଣ୍ଠିଆ, ଅତିରିକ୍ତ ଜିଲା ଓ ଦୌରାଜଜ୍‌ (ଏଲ୍‌ଆର୍‌ ଓ ଏଲ୍‌ଟିଭି) ସୌମ୍ୟକ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବାସୁଦେବ ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍‌ଆର୍‌ ଓ ଏଲ୍‌ଟିଭି) ସଙ୍ଗୀତା ସାହୁ, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅଭିନନ୍ଦିତା ପଣ୍ଡା, ଏସ୍‌ଡିଜେଏମ୍‌ ବିଶ୍ୱଜିତ ନାୟକ, ଜେଏମ୍‌ଏଫ୍‌ସି ସଞ୍ଜୀବ ପଣ୍ଡା, ତାରିଣୀ ପ୍ରସାଦ ସାହୁ ଓ ଶ୍ରୁତି ସ୍ବରୂପା ସାହୁ, କୋର୍ଟ ମ୍ୟାନେଜର ସୁମନ କୁମାର ଆଚାର୍ଯ୍ୟ, ବାର୍‌ ଆସୋସିଏଶନ ସଭାପତି ଜିତେନ୍ଦ୍ର ସାହୁ ଓ ସମ୍ପାଦକ ହିମାଂଶୁ ସାମଲଙ୍କ ସମେତ ଅନ୍ୟ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ।