ସ୍ବତନ୍ତ୍ର ପ୍ୟାକେଜ ଘୋଷଣାକୁ ଉଦ୍ୟୋଗ ସଂଘର ଦାବି

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ରାଜ୍ୟରେ ଥିବା ୨ ଲକ୍ଷରୁ ଊର୍ଦ୍ଧ୍ୱ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏସବୁ ଠିକ୍‌ ସ୍ଥିତିକୁ ଆସିବାକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେହି ସବୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡାଯାଇଛି। ଏ ନେଇ ଜଗରନଟ ଆସୋସିଏଶନ ଫର ଏଣ୍ଟରପ୍ରିିନିୟର୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦନ କରାଯାଇଛି।
ବିଦ୍ୟୁତ୍‌ ଶୁଳ୍କ ବିଳମ୍ବ ପାଇଁ ଆଦାୟ ଜରିମାନା ଛାଡ କରିବା ସହ ଏମ୍‌ଏସ୍‌ଏମ୍‌ଇଗୁଡିକରୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ନ କରିବା, ବିଲ୍‌ ଦେବା ପାଇଁ ସମୟ ଦେବା, ଲକ୍‌ଡାଉନ ହଟିବା ପରେ ଏକ ସର୍ଭ କରାଯାଇ କ୍ଷୁଦ୍ର ଶିଳ୍ପଗୁଡିକର ପୁନରୁଦ୍ଧାର ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଛି। ଏଥିସହିତ ଲକ୍‌ଡାଉନ ପୂର୍ବରୁ ଯେଉଁ ଏମ୍‌ଏସ୍‌ଏମ୍‌ଇଗୁଡିକ ବିଦ୍ୟୁତ୍‌ ବିଲ୍‌ ପାଇଛନ୍ତି। ସେମାନେ ଲକ୍‌ଡାଉନ ଯୋଗୁ ନିର୍ଦ୍ଦିଷ୍ଟ ସମୟରେ ବିଲ୍‌ ପଇଠ କରିପାରି ନାହାନ୍ତି। ଏହି ବିଲ୍‌ଗୁଡିକ ଉପରେ ବିଳମ୍ବ ଦେୟ ବା ଲେଟ ଫି ଆଦାୟ ନ କରିବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ୨୦୨୦ ଡିସେମ୍ବର ଯାଏ ବିଦ୍ୟୁତ୍‌ ଓ ଜଳଯୋଗାଣ ବିଲ୍‌ ଅଦାୟ ନ କରିବା, କ୍ଷୁଦ୍ର ଶିଳ୍ପଗୁଡିକ ପାଇଁ ଆବଶ୍ୟକ କଞ୍ଚାମାଲ ଶସ୍ତାରେ ଯୋଗାଇ ଦେବା, ଶୀତଳ ଭଣ୍ଡାରଗୁଡିକର ପୁନରୁଦ୍ଧାର ପାଇଁ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା କରିବା ଆଦି ୧୬ ଦଫା ଦାବି କରାଯାଇଛି।

Share