ସ୍ବତନ୍ତ୍ର ବର୍ଥ ନିର୍ମାଣ କରିବ ପାରାଦୀପ ବନ୍ଦର

ପାରାଦୀପ, ୧୯।୩ (ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପରିଚୟ ପାଇଥିବା ପାରାଦୀପରେ କ୍ୟାପ୍‌ସାଇଜ୍‌ ଜାହାଜ ଲାଗିବା ଭଳି ଏକ ସ୍ବତନ୍ତ୍ର ବର୍ଥ ନିର୍ମାଣ କରାଯିବ। ପ୍ରାୟ ୩ ହଜାର କୋଟି ଟଙ୍କା ବ୍ୟୟରେ ଏହି ଓ୍ବେଷ୍ଟର୍ନ ବର୍ଥ ନିର୍ମାଣ ହେବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ବୁଧବାର ସୂଚନା ଦେଇଛନ୍ତି। ଏ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ସରକାରୀ କ୍ଲିୟରାନ୍ସ ମିଳିଲେ ବର୍ଥ ନିର୍ମାଣ କାମ ଆରମ୍ଭ ହେବ। ଆବଶ୍ୟକ ପାଣ୍ଠି ୩ ହଜାର କୋଟି ମଧ୍ୟରୁ ୮ରୁ ୯ଶହ କୋଟି ଟଙ୍କା ପାରାଦୀପ ବନ୍ଦର ଖର୍ଚ୍ଚ କରିବ। ଅବଶିଷ୍ଟ ଅର୍ଥ ଘରୋଇ କମ୍ପାନୀ ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। ପିପିପି ମୋଡ୍‌ରେ ଏହା କରାଯାଇ ବନ୍ଦରର କଳେବର ବୃଦ୍ଧି କରାଯିବ।
ସୂଚନାଥାଉ କି, କ୍ୟାପ୍‌ସାଇଜ୍‌ ଜାହାଜରେ ୧ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଦେଢ଼ଲକ୍ଷ ମେଟ୍ରିକ୍‌ ଟନ୍‌ ପଣ୍ୟ ଆସିଥାଏ। ସେଭଳି ଜାହାଜ ପାଇଁ ବନ୍ଦରର ଗଭୀରତା ୧୮ରୁ ୨୫ ମିଟର ଆବଶ୍ୟକ ଥାଏ। ଏବେର ବର୍ଥ ସେତେ ଗଭୀର ନ ଥିବାରୁ କ୍ୟାପ୍‌ସାଇଜ୍‌ ଜାହାଜ ଲାଗିବା ପାଇଁ ସ୍ବତନ୍ତ୍ର ବର୍ଥ ନିର୍ମାଣ ହେବ। ସମ୍ପ୍ରତି ଦେଶରେ କ୍ୟାପ୍‌ସାଇଜ ଜାହାଜ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ବର୍ଥ ନିର୍ମାଣ କରୁରୀ ହୋଇପଡ଼ିଛି ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ୨୦ରୁ ୨୫ ନିୟୁତ ମେଟ୍ରିକ ଟନ୍‌ ପଣ୍ୟ କାରବାର ବୃଦ୍ଧି ଘଟିବ ବୋଲି କୁହାଯାଉଛି।

Share