ସ୍ବଦେଶକୁ ଅଧିକ ଟଙ୍କା ପଠାନ୍ତି ଏନ୍‌ଆର୍‌ଆଇ: ୨୦୧୮ରେ ଆସିଛି ୫ ଶହ ୫୧କୋଟି ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୬: ସ୍ବଦେଶକୁ ବିଦେଶରୁ ଟଙ୍କା ପଠାଇବାରେ ଏନଆର୍‌ଆଇମାନେ ପୃଥିବୀରେ ପୁଣି ଏକ ନମ୍ବର ସ୍ଥାନରେ ରହିଛନ୍ତି। ୨୦୧୮ରେ ସେମାନେ ଭାରତକୁ ୫ ଶହ ୫୧ କୋଟି ହଜାର ଟଙ୍କା ପଠାଇଛନ୍ତି। ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ଗତ ବର୍ଷ ଏନ୍‌ଆର୍‌ଆଇମାନେ ମୋଟ ୫୫,୧୦,୬୪,୫୦ ଲକ୍ଷ ଟଙ୍କା(୭୯ ବିଲିୟନ୍‌ ଡଲାର) ଭାରତକୁ ପଠାଇଛନ୍ତି। ଭାରତ ପଛକୁ ଚାଇନାର ସ୍ଥାନ ରହିଛି। ଏହା ୬୭ ବିଲିୟନ୍‌ ଡଲାର ବିଦେଶୀ ମୁଦ୍ରା ପାଇଥିବାବେଳେ ତୃତୀୟ ସ୍ଥାନରେ ମେକ୍ସିକୋ ରହିଛି। ଏହା ୩୬ ବିଲିୟନ୍‌ ଡଲାର ହାସଲ କରିପାରିଛି। ସେହିପରି ଚତୁର୍ଥ ସ୍ଥାନରେ ଫିଲିପାଇନ୍ସ୍‌ ଏବଂ ପଞ୍ଚମ ସ୍ଥାନରେ ମିଶର ରହିଛି। ଏହି ଦୁଇଦେଶ ଯଥାକ୍ରମେ ୩୪ ଏବଂ ୨୯ ବିଲିୟନ୍‌ ଡଲାର ହାସଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘ ରିପୋର୍ଟ ଅନୁସାରେ ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୨୦ କୋଟି ବିଦେଶୀ କାମ କରିଥାନ୍ତି। ସେମାନେ ନିଜ ନିଜ ଦେଶକୁ ପଠାଉଥିବା ବିଦେଶୀ ମୁଦ୍ରା ଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇଥାଏ। ୨୦୧୮ରେ ବିଦେଶରେ କାମ କରୁଥିବା ପୃଥିବୀର ବିଭିନ୍ନ ଦେଶର ଲୋକ ନିଜ ନିଜ ଦେଶକୁ ମୋଟ ୬ଶହ ୮୯ କୋଟି ଡଲାର ପଠାଇଛନ୍ତି। ୨୦୧୭ରେ ଏହାର ପରିମାଣ ୬ ଶହ ୩୩ ଶହ କୋଟି ଡଲାର ଥିଲା। ୨୦୧୬ଠାରୁ ୨୦୧୮ ମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ଏନ୍‌ଆର୍‌ଆଇମାନଙ୍କ ସ୍ବଦେଶକୁ ଟଙ୍କା ପଠାଇବାରେ ଲାଗାତାର ବୃଦ୍ଧି ଘଟିଛି। ୨୦୧୮ରେ ଏଥିରେ ୧୪ ପ୍ରତିଶତ ବୃଦ୍ଧି ଦୃଷ୍ଟିଗୋଚର ହୋଇଛି।

Share