Categories: ଜାତୀୟ

‘ସ୍ବଦେଶୀ ଅସ୍ତ୍ରରେ ପରବର୍ତ୍ତୀ ଯୁଦ୍ଧ ଜିତିବୁ’

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ସଶସ୍ତ୍ର ବାହିନୀରେ ସ୍ବଦେଶୀ ଜ୍ଞାନକୌଶଳକୁ ଅଧିକ ମାତ୍ରାରେ ସାମିଲ କରିବା ଉପରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ ଗୁରୁତ୍ୱାରୋପ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର ବ୍ୟବସ୍ଥାରେ ଭାରତ ପରବର୍ତ୍ତୀ ଯୁଦ୍ଧ ଲଢ଼ି ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଡିଆର୍‌ଡିଓର ୪୧ତମ ନିର୍ଦ୍ଦେଶକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜେନେରାଲ ରାଓ୍ବତ କହିଥିଲେ, ଭବିଷ୍ୟତ ଯୁଦ୍ଧକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ। ଏଥିପାଇଁ ଆମକୁ ସାଇବର ସ୍ପେସ୍‌, ଲେଜର, ଇଲେକ୍ଟ୍ରୋନିକ ଯୁଦ୍ଧ ସରଞ୍ଜାମ ଏବଂ ରୋବୋଟ ବିଜ୍ଞାନ ସମେତ କୃତ୍ରିମ ବୈଦ୍ଧିକତାର ବିକାଶ କରାଯିବା ଜରୁରୀ। ଏ ସମ୍ପର୍କରେ ଏବେଠାରୁ ଚିନ୍ତା ନ କଲେ ବହୁତ ବିଳମ୍ବ ହୋଇଯିବ ବୋଲି ସେନାମୁଖ୍ୟ କହିଛନ୍ତି।
ଏହି ଅବସରରେ ସେନାମୁଖ୍ୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ସଫଳତାକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ। ଭାରତ ଅନ୍ୟତମ ସର୍ବାଧିକ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ର। ସ୍ବାଧୀନତାର ୭ ଦଶନ୍ଧି ପରେ ଏଭଳି ମନ୍ତବ୍ୟ ଦେବା ଆଦୌ ଗର୍ବର କଥା ନୁହେଁ। ତେବେ ଗତ କିଛି ବର୍ଷ ମଧ୍ୟରେ ଏଥିରେ ପରିବର୍ତ୍ତନ ଆସିପାରିଛି। ସ୍ବଦେଶୀ ଜ୍ଞାନକୌଶଳରେ ସେନାର ଆବଶ୍ୟକତା ପୂରଣ କରିବା ଲାଗି ଡିଆର୍‌ଡିଓ ପ୍ରତିଶ୍ରୁତିବଦ୍ଧ ଓ ସେ ଦିଗରେ କାର୍ଯ୍ୟ ଜାରି ରଖିଛି ବୋଲି ଜେନେରାଲ ରାଓ୍ବତ କହିଥିଲେ।
ଡିଆର୍‌ଡିଓର ଦୁଇଦିନିଆ ସମ୍ମିଳନୀର ଉଦ୍‌ଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭଦୌରିଆ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ, ଡିଆର୍‌ଡିଓ ମୁଖ୍ୟ ଜି. ସଥିଶ ରେଡ୍ଡୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲମ୍ୟାନ୍‌ ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ଡିଆର୍‌ଡିଓ ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜ୍ଞାନର ଅଗ୍ରଗତି ମାଧ୍ୟମରେ ଦେଶର ବିକାଶ ଲାଗି କଲାମ ଦେଖିଥିବା ସ୍ବପ୍ନକୁ ଅନୁଭବ କରିବା ସହ ତାଙ୍କ ଜୀବନୀ ଓ କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହେବା ଲାଗି ରାଜନାଥ ଆହ୍ବାନ ଦେଇଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବା ଲାଗି ସ୍ବଦେଶୀ ସିଷ୍ଟମର ବିକାଶ ଉପରେ ସେ ଜୋର ଦେଇଥିଲେ।

Share