ସ୍ବଦେଶ ଫେରିବାକୁ ବ୍ୟାକୁଳ ପ୍ରବାସୀ

ଆବୁଧାବି,୪।୫(ପି.ଟି.): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶରେ ରହିଥିବା ପ୍ରବାସୀମାନେ ନିଜ ଦେଶକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଅନ୍ୟ ଦେଶ ଅପେକ୍ଷା କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଭାରତରେ ଆପାତତଃ କମ୍‌ ରହିଛି। ତେଣୁ ଅନେକ ପ୍ରବାସୀ କାମଧନ୍ଦା ହରାଇଥିବାରୁ ସ୍ବଦେଶ ଫେରିବାକୁ ଚାହୁଁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ବାହାର ଦେଶରେ ରହୁଥିବା ପ୍ରବାସୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଛି। ଏହିକ୍ରମରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରୁ ଭାରତକୁ ବିମାନ ଯୋଗେ ଫେରିବାକୁ ଦେଢ଼ ଲକ୍ଷ ପ୍ରବାସୀ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଥିବା ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ମୁଖ୍ୟ ବିପୁଲ ସୂଚନା ଦେଇଛନ୍ତି। ସ୍ବଦେଶ ଫେରିବାକୁ ପଞ୍ଜୀକରଣ କରିଥିବା ପ୍ରବାସୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କାମଧନ୍ଦା ହରାଇଥିବାରୁ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି। ପଞ୍ଜୀକୃତଙ୍କ ମଧ୍ୟରୁ ୪୦% ଶ୍ରମିକ ଶ୍ରେଣୀର ହୋଇଥିବାବେଳେ ୨୦% ସେଠାରେ ବିଭିନ୍ନ ପଦବୀରେ ଚାକିରି କରିଛନ୍ତି। ୧୦% ଆବେଦନକାରୀ ଭ୍ରମଣ ଭିଜାରେ ସେଠାକୁ ଯାଇଥିଲେ, ହେଲେ ଭାରତରେ ଲକ୍‌ଡାଉନ ଘୋଷଣା ପରେ ବିମାନ ଚଳାଚଳ ରଦ୍ଦ ହେବାରୁ ସେଠାରେ ଫସି ରହିଛନ୍ତି। ଅନ୍ୟ ଆବେଦନକାରୀମାନେ ବିଭିନ୍ନ ସ୍ବାସ୍ଥ୍ୟଗତ, ଶିକ୍ଷା ସମସ୍ୟା ଦେଖାଇ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି ବୋଲି ଆବେଦନରେ ଦର୍ଶାଇଛନ୍ତି।
ଗତ ବୁଧବାର ରାତିରେ ଆବୁଧାବିରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏବଂ ଦୁବାଇରେ ଅବସ୍ଥାପିତ ଭାରତୀୟ କନ୍‌ସୁଲେଟ ପକ୍ଷରୁ ବିମାନ ଯୋଗେ ସ୍ବଦେଶ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ କରାଯାଇଥିଲା। ୟୁଏଇରେ ଅବସ୍ଥାପିତ ଭାରତର ବିଭିନ୍ନ ରାଜ୍ୟର ଲୋକମାନେ ପଞ୍ଜୀକରଣ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ୫୦% କେବଳ କେରଳର ବୋଲି ଜଣାପଡ଼ିଛି। ୟୁଏଇରେ ଭାରତର ପ୍ରାୟ ୩୪ଲକ୍ଷ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ କେବଳ କେରଳର। ତେବେ ପଞ୍ଜୀକୃତ ହୋଇଥିବା ପ୍ରବାସୀଙ୍କୁ କିପରି ଓ କେବେ ଭାରତ ନିଆଯିବ ଏବଂ ସେମାନଙ୍କ ପାଇଁ ବିମାନ ଟିକେଟ ମୂଲ୍ୟ କେତେ ରହିବ, ସେମାନଙ୍କ କୋଭିଡ୍‌-୧୯ ପରୀକ୍ଷା କିପରି କରାଯିବ, ସେନେଇ ଭାରତ ସରକାରଙ୍କ ପକ୍ଷରୁ ଏଯାବତ୍‌ କାୈଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି ଏବଂ ପ୍ରବାସୀଙ୍କ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆଗକୁ ମଧ୍ୟ ଜାରି ରହିବ ବୋଲି ଦୂତାବାସ ମୁଖ୍ୟ ବିପୁଲ କହିଛନ୍ତି।

Share