Categories: ଜାତୀୟ

ସ୍ବଦେଶ ଫେରିଲେ ୧୪୫ ଭାରତୀୟ: ହାତଗୋଡ଼ ବାନ୍ଧି ପଠାଇଲା ଆମେରିକା

ନୂଆଦିଲ୍ଲୀ,୨୨-୧୧:ଅନେକ ବର୍ଷ ଧରି ବେଆଇନ ଭାବେ ଆମେରିକାରେ ରହୁଥିବା ୧୪୫ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସ୍ବଦେଶକୁ ପଠାଇଦେଇଛି। ପ୍ରତ୍ୟର୍ପଣ ପରେ ସେମାନେ ଗୁରୁବାର ସକାଳେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଛନ୍ତି। ଏହା ସେମାନଙ୍କ ପରିବାର ପାଇଁ ଆଶ୍ୱସ୍ତି ଆଣିଦେଇଛି। ତେବେ ଯେପରି ଢଙ୍ଗରେ ସେମାନଙ୍କୁ ବିଦା କରାଯାଇଛି ତାହା ଅତ୍ୟନ୍ତ ଅପମାନଜନକ। ଚାର୍ଟାର୍ଡ ପ୍ଲେନ୍‌ରେ ବସାଇବା ପୂର୍ବରୁ ୧୪୫ ଭାରତୀୟଙ୍କ ହାତଗୋଡ଼ ବାନ୍ଧି ଦିଆଯାଇଥିଲା।
ଆରିଜେନାରୁ ଢାକା (ଯେଉଁଠି ୨୫ ବାଂଲାଦେଶୀଙ୍କୁ ପ୍ରତ୍ୟର୍ପଣ କରାଗଲା) ଦେଇ ନୂଆଦିଲ୍ଲୀରେ ବୁଧବାର ସକାଳ ୭ଟା ୩୦ରେ ପହଞ୍ଚତ୍ଥିଲା ଚାର୍ଟାର୍ଡ ପ୍ଲେନ। ଉକ୍ତ ବିମାନରୁ ବାହାରିଥିଲେ ୧୪୨ ପୁରୁଷ ଓ ୩ ମହିଳା, ଯାହାଙ୍କ ବୟସ ୧୯ରୁ ୩୧ ମଧ୍ୟରେ ହେବ। ସେମାନଙ୍କୁ ଅପରାଧୀ ଭଳି ବିମାନରେ ଅଣାଯାଇଥିଲା। ଏଠାରେ ପହଞ୍ଚତ୍ବା ପରେ ସେମାନଙ୍କୁ ଗୋଇନ୍ଦା ବ୍ୟୁରୋ (ଆଇବି) ଏବଂ ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍‌ଆର୍‌ଆର୍‌ଓ) ପକ୍ଷରୁ ପଚରାଉଚରା କରାଯାଇଥିଲା। ଆପ୍ରବାସନ ଔପଚାରିକତା ଶେଷ ହେବା ପରେ ସେମାନେ ନିଜ ନିଜ ରାଜ୍ୟ ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଓ ଗୁଜରାଟ ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି। ଆପ୍ରବାସନ ଅଧିକାରୀମାନେ କହିଛନ୍ତି, ଏହି ୧୪୫ ଭାରତୀୟଙ୍କ ନିକଟରେ ଆମେରିକାରେ ପ୍ରବେଶ କରିବା କିମ୍ବା ରହିବା ପାଇଁ ଅନୁମତି ଦେବା ଭଳି ଦସ୍ତାବିଜ ନ ଥିଲା। ଏହି ଯୁବତୀଯୁବକମାନେ ଏଜେଣ୍ଟମାନଙ୍କୁ ଜଣପିଛା ୨୫ ଲକ୍ଷ ଟଙ୍କା ଦେବା ପରେ ବିଭିନ୍ନ ସୀମା ଦେଇ ଆମେରିକାରେ ପ୍ରବେଶ କରିଥିଲେ। ଆମେରିକାରୁ ବେଆଇନ ପ୍ରବାସୀଙ୍କୁ ବିଦା କରିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ନିଷ୍ପତ୍ତି ନେବା ପରେ ଭାରତୀୟ ଦୂତାବାସ ସେମାନଙ୍କୁ ଚିହ୍ନଟ କରିଥିଲା। ଶରଣାର୍ଥୀ ଶିବିରରେ ରଖାଯାଇ ସେମାନଙ୍କୁ ଜରୁରୀ ପ୍ରମାଣପତ୍ର ଜରିଆରେ ଭାରତକୁ ପଠାଯାଇଥିବା ଜଣେ ଆପ୍ରବାସନ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ଏଜେଣ୍ଟମାନଙ୍କୁ ଏମାନେ ମୋଟା ଅଙ୍କର ଅର୍ଥ ଦେଇ ଆମେରିକା ଯାଇଥିଲେ, ସେମାନଙ୍କ ପତ୍ତା ମିଳୁନାହିଁ। ତେବେ ସେମାନଙ୍କୁ ଠାବ କରାଯିବ ବୋଲି କୁହାଯାଇଛି। ଆମେରିକାରୁ ଭାରତକୁ ଏହା ହେଉଛି ଏହି ଧରଣର ଦ୍ୱିତୀୟ ପ୍ରତ୍ୟର୍ପଣ। ଅକ୍ଟୋବର ୧୮ରେ ୩୧୧ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା।

Share