ଲେଖକ ଏ. ମିଗୁଏଲ୍ ଟ୍ରୁଜିଲୋ ବେଶ କିଛି ଦିନ ଧରି ଗୋଟେ ରୋମାଣ୍ଟିକ୍ ପ୍ଲଟ୍ ଖୋଜୁଥିଲେ। ଉଦ୍ଦେଶ୍ୟ ଥିଲା ତାହାକୁ ନେଇ ସେ ଏକ ନଭେଲ ଲେଖିବେ। ମାତ୍ର କୌଣସି ପ୍ରକାର ଆଇଡିଆ ତାଙ୍କ ମୁଣ୍ଡକୁ ପଶୁ ନ ଥିଲା। ସେ ଭାବୁଥିଲେ ବୋଧହୁଏ ନଭେଲ ଲେଖିବା ସମ୍ଭବ ହେବନି। ହେଲେ ଦିନେ ସେ ଶୋଇଥିବା ବେଳେ ଏକ ରୋମାଣ୍ଟିକ୍ ସ୍ବପ୍ନ ଦେଖିଲେ। ଦୁଇଜଣ ଉଚ୍ଚାଭିଳାସୀ ଯୁବକ ଯୁବତୀ। ସେମାନେ ଏକ ଅଚିହ୍ନା ଜାଗାରେ ପରସ୍ପରକୁ ଭେଟୁଛନ୍ତି। ଆଉ ତାଙ୍କ ଭିତରେ ପ୍ରେମ ହେଉଛି। ଏହି ସ୍ବପ୍ନ ତାଙ୍କୁ ଏକ ରୋମାଣ୍ଟିକ୍ ପ୍ଲଟ୍ ଆଣିଦେଲା। ଆଉ ସେ ତାହାକୁ ଭିତ୍ତିକରି ଆରମ୍ଭ କରିଥିଲେ ଉପନ୍ୟାସ ‘ଇନ୍ ଏ ଡ୍ରିମ୍ : ଏ ପର୍ସନାଲ ଫାଣ୍ଟାସୀ’। ଏହି ପୁସ୍ତକର ଅନାବରଣ ଉତ୍ସବରେ ମିଗୁଏଲ୍ କହିଥିଲେ ଯେ, ପୂର୍ବରୁ ସ୍ବପ୍ନକୁ ନେଇ ସେ ଯାହା ଶୁଣିଥିଲେ ସେସବୁ ମିଛ। ଲୋକମାନେ ବିଶ୍ୱାସ କରୁଥିଲେ ଯେ, ଦେବତାମାନେ ହିଁ ରାତିରେ ସ୍ବପ୍ନ ଦେଖାନ୍ତି। ଭଲମନ୍ଦ ଭବିଷ୍ୟବାଣୀ କରନ୍ତି। ମାତ୍ର ବସ୍ତବକଥା ହେଉଛି ଏଇଆ ଯେ, କେବଳ ଗଭୀର ଚିନ୍ତା ହିଁ ହେଉଛି ସ୍ବପ୍ନର ସୃଷ୍ଟିକର୍ତ୍ତା। ତାହା ସୁଚିନ୍ତା ହେଉ କି ଦୁଶ୍ଚିନ୍ତା। ମୋ ଭିତରେ ଏକ ରୋମାଣ୍ଟିକ୍ ଚିନ୍ତା ରହିଥିଲା; ଯାହା ସ୍ବପ୍ନ ଆକାରରେ ପ୍ରକଟିତ ହେଲା। ସ୍ବପ୍ନର ସର୍ବପ୍ରଥମ ଆଧୁନିକ ବ୍ୟାଖ୍ୟାକାର ସିଗ୍ମଣ୍ଡ ଫ୍ରଏଡ୍ ମଧ୍ୟ ଠିକ୍ ଏଇକଥା କହିଛନ୍ତି। ଜଣେ ବ୍ୟକ୍ତି ସୁଚିନ୍ତା ଦ୍ୱାରା ଭଲ ସ୍ବପ୍ନ ଏବଂ ଦୁଶ୍ଚିନ୍ତା ଦ୍ୱାରା ଖରାପ ସ୍ବପ୍ନ ଦେଖିଥାଏ। ଗବେଷକମାନଙ୍କ ମତରେ, ଜଣେ ସୁସ୍ଥ ମଣିଷ ଯିଏ ଶୋଇବା ବେଳେ କୌଣସି ଚିନ୍ତା କରେନାହିଁ ସେ କେବେହେଲେ ସ୍ବପ୍ନ ଦେଖେନାହିଁ।