Categories: ଖେଳ

ସ୍ବପ୍ନ ରହିଗଲା ଅଧା, ହେଲେ ବିଶ୍ୱାସ ମରି ନାହିଁ: ସେହ୍ବାଗ

ନୂଆଦିଲ୍ଲୀ,୭।୯- ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟାନ-୨ ଲ୍ୟାଣ୍ଡର ‘ବିକ୍ରମ’କୁ ଚନ୍ଦ୍ର ପୃଷ୍ଠରେ ଅବତାର କରାଇପାରି ନାହିଁ। ଲକ୍ଷ୍ୟ ସ୍ଥଳଠାରୁ ୨.୧ କିମି ଦୂରରେ ଥିବାବେଳେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ପ୍ରୋଜେକ୍ଟରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ବୈଜ୍ଞନିକମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଆଗେଇ ଆସିଛନ୍ତି ପୂର୍ବତନ ଓ ବର୍ତ୍ତମାନ ଭାରତୀୟ କ୍ରିକେଟରମାନେ। ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ ଟୁଇଟ୍‌ କରିଛନ୍ତି ଅଧା ରହିଗଲା ସ୍ବପ୍ନ, ହେଲେ ବିଶ୍ୱାସ ମରି ନାହିଁ। ଚ୍ୟାଲେଞ୍ଜକୁ ମୁକାବିଲା କରିବାର କ୍ଷମତା ଇସ୍ରୋର ରହିଛି। ଆମେ ନିଶ୍ଚେ ସଫଳ ହେବା। ସେହିଭଳି ଭାରତୀୟ ଅଧିନାୟକ ବିରାଟ କୋହଲି ଲେଖିଛନ୍ତି, ବିଜ୍ଞାନରେ ବିଫଳତା କିଛି ନାହିଁ। ଆମେ ଏକ୍ସପେରିମେଣ୍ଟ କରି ଶିକ୍ଷା ଲାଭ କରୁ। ଦିନ-ରାତି କାର୍ଯ୍ୟ କରିଥିବା ଇସ୍ରୋର ବୈଜ୍ଞାନିକଙ୍କ ଲାଗି ସମ୍ମାନ ବଢ଼ିଯାଇଛି। ତୁମମାନଙ୍କ ପାଇଁ ଦେଶ ଗର୍ବିତ। ଜୟ ହିନ୍ଦ୍‌। ଏହି ତାଲିକାରେ ଭାଜପା ଏମ୍‌ପି ଗୌତମ ଗମ୍ଭୀର, ହରଭଜନ ସିଂ, ରିଷଭ ପନ୍ତ, ଶିଖର ଧାଓ୍ବନଙ୍କ ଭଳି କ୍ରିକେଟର ରହିଛନ୍ତି। ରାତି ୧ଟା ୫୩ ମିନିଟରେ ଚନ୍ଦ୍ରୟାନ-୨ ‘ବିକ୍ରମ’ ଅବତାରଣ କରିବାରେ ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ମୁଖ୍ୟ କେ. ଶିବନଙ୍କୁ ସାନ୍ତ୍ୱନା ଦେଇଥିଲେ।

Share