Categories: ଜାତୀୟ

ସ୍ବର୍ଗତା ସୁଷମାଙ୍କ ଜନ୍ମଦିନରେ ମନେପକାଇଲେ ମୋଦି, ଶାହା

ନୂଆଦିଲ୍ଲୀ,୧୪।୨: ଭାରତୀୟ ରାଜନୀତିର ଲୋକପ୍ରିୟ ତଥା ଭାଜପାର ବରିଷ୍ଠ ନେତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଶୁକ୍ରବାର ୬୮ତମ ଜନ୍ମଦିନ। ୧୯୫୨ ଫେବୃୟାରୀ ୧୪ରେ ପଞ୍ଜାବର ଅମ୍ବାଲାରେ ସେ ଜନ୍ମଗ୍ରହଣ କରିଥିଲେ। ସୁଷମା ଆମ ଗହଣରେ ନାହାନ୍ତି ହେଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ କରି ତାଙ୍କୁ ମନେପକାଇଛନ୍ତି। ସୁଷମା ଜଣେ ଅସାଧାରଣ ସହଯୋଗୀ ଓ ଉତ୍କୃଷ୍ଟ ମନ୍ତ୍ରୀ ଥିଲେ ବୋଲି ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ସାର୍ବଜନୀନ ସେବା, ଶାଳୀନତା, ଦୟା ଓ ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ହେଉଛନ୍ତି ସୁଷମା। ସେହିପରି ସ୍ବାମୀ କୌଶଳ ସ୍ବରାଜ ମଧ୍ୟ ତାଙ୍କର ଏକ ଫଟୋ ଶେୟାର କରି ଟୁଇଟ କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ହାପି ବର୍ଥଡେ ସୁଷମା, ଆମ ଜୀବନର ସମସ୍ତ ଖୁସି। ଏହି ଅବସରରେ ଝିଅ ବାଂଶୁରୀ ମଧ୍ୟ ମା’ ସୁଷମାଙ୍କୁ ମନେ ପକାଇ କହିଛନ୍ତି, ସେ ଜଣେ ଅସାଧାରଣ ନେତ୍ରୀ ଥିଲେ। ଅପରପକ୍ଷେ ତାଙ୍କ ଜନ୍ମଦିନ ଅବସରରେ ବିଦେଶ ସେବା ମନ୍ତ୍ରାଳୟ ପ୍ରବାସୀ ଭାରତୀୟ କେନ୍ଦ୍ର ଏବଂ ବିଦେଶ ସେବା ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରି ସୁଷମା ସ୍ବରାଜଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରବାସୀ ଭାରତୀୟ କେନ୍ଦ୍ରକୁ ‘ସୁଷମା ସ୍ବରାଜ ଭବନ’ ଓ ବିଦେଶ ସେବା ପ୍ରତିଷ୍ଠାନର ନାମକୁ ପରିବର୍ତ୍ତନ କରାଯାଇ ‘ସୁଷମା ସ୍ବରାଜ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ସର୍ଭିସ’ କରିବାକୁ ଘୋଷଣା କରାଯାଇଛି। ସେହିଭଳି ହରିୟାଣା ସରକାର ମଧ୍ୟ ଅମ୍ବାଲା ସହରର ବସ୍‌ ଷ୍ଟାଣ୍ଡକୁ ‘ସ୍ବରାଜ’ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମୋଦି ସରକାରଙ୍କ କାର୍ଯ୍ୟକାଳରେ ସେ ବୈଦେଶିକ ମନ୍ତ୍ରୀଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସ୍ବାସ୍ଥ୍ୟଗତ କାରଣ ଯୋଗୁ ୨୦୧୯ରେ ସୁଷମା ନିର୍ବାଚନ ଲଢ଼ି ନ ଥିଲେ।

Share