ସ୍ବର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୧୪ା୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ମଙ୍ଗଳବାର ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସକାଳେ ସ୍ବର୍ଗତ ମହାପାତ୍ରଙ୍କ ମରଶରୀର ସ୍ବର୍ଗଦ୍ୱାରରେ ପହଞ୍ଚତ୍ଥିଲା। ପୁରୀ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ମୃତଦେହ ସତ୍କାର କରାଯାଇଥିଲା। ପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ପୁରୀର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଆଡିଶନାଲ ଏସ୍‌ପି ଅରୁଣ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂଙ୍କ ସମେତ ସ୍ବର୍ଗତ ମହାପାତ୍ରଙ୍କ ଆତ୍ମୀୟସ୍ବଜନ, ବହୁ ସମ୍ପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

Share