ପୁରୀ ଅଫିସ, ୩୦ା୧: ସ୍ବର୍ଗଦ୍ୱାର ହେଉଛି ପ୍ରତ୍ୟେକ ହିନ୍ଦୁଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର। ମୃତ୍ୟୁ ପରେ ଏଠାରେ ମୃତଦେହ ଦାହ କଲେ ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଦୈନିକ ଶହ ଶହ ମୃତଦେହ ସତ୍କାର ଲାଗି ଏଠାକୁ ଅଣାଯାଇଥାଏ। ତେବେ ଏଠାକୁ ଆସୁଥିବା ଲୋକେ ଶୋଷଣର ଶିକାର ହେଉଛନ୍ତି। ସେବା ଓ ହରିଶ୍ଚନ୍ଦ୍ର ଯୋଜନାର ସୁବିଧା ଯୋଗାଇ ଦେବାକୁ କହି କେତେଜଣ ପୌର କର୍ମଚାରୀ ଶହେରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଦାବି କରିଛି। ଏ ନେଇ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ ବୁଧବାର ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ବର୍ଗଦ୍ୱାରରେ ଲୋକଙ୍କୁ ଶୋଷଣ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ଉକ୍ତ ଅଭିଯୋଗର ତଦନ୍ତ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।