ସ୍ବର୍ଗଦ୍ୱାର ପୁନରୁଦ୍ଧାର ଲାଗି ଉଚ୍ଛେଦ ଜାରି:ମୃତଦେହ ଦାହ ପାଇଁ ପ୍ରତିବନ୍ଧକ ନାହିଁ

ପୁରୀ ଅଫିସ,  ୧୩।୧୨:ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏଠାରେ ଥିବା ଏକାଧିକ ପୁରୁଣା କୋଠା ଭଙ୍ଗାଯାଉଛି। ଗୁରୁବାର ୩ୟ ଦିନରେ ଚିମିନ, ଆଶ୍ରୟସ୍ଥଳୀ ଆଦି ଉଚ୍ଛେଦ କରାଯାଇଛି। ତେବେ ସ୍ବର୍ଗଦ୍ୱାର ଭଙ୍ଗାଯିବାକୁ ନେଇ ଲୋକେ କୌଣସି ପ୍ରକାର ଭ୍ରମରେ ନ ପଡ଼ନ୍ତୁ। ଉଚ୍ଛେଦ ଏବଂ ମୃତଦେହ ଦାହ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିବ। ମୃତଦେହ ଦାହ କରିବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଉପଜିଲାପାଳ ସ୍ପଷ୍ଟ କରିଛନ୍ତି।
ସ୍ବର୍ଗଦ୍ୱାରର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଏଥିଲାଗି ୫ କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଛି। କାମ ଆରମ୍ଭ ପୂର୍ବରୁ ଏହା ପରିସରରେ ଥିବା ପୁରୁଣା କୋଠାକୁ ଗତ ମଙ୍ଗଳବାରଠାରୁ ଉଚ୍ଛେଦ କରାଯାଉଛି। ତୃତୀୟ ଦିନ ସୁଦ୍ଧା ପଥଶ୍ରାଦ୍ଧ ଘର, ଆଶ୍ରୟସ୍ଥଳୀ, ପଞ୍ଜୀକରଣ କୋଠା, ଧାତବ ଚୁଲାକୁ ଭଙ୍ଗାଯାଇଛି। ଉଚ୍ଛେଦ କାର୍ଯ୍ୟ ସରିବା ପରେ ପ୍ରଥମେ ଗୋଟିଏ ପାର୍ଶ୍ୱରେ ଦାହ ପାଇଁ ୭ଟି ପିଣ୍ଡି ତିଆରି କରାଯିବ। ଏହି ସମୟରେ ଅପର ପାର୍ଶ୍ୱରେ ମୃତଦେହ ଦାହ ଚାଲୁଥିବ। ୭ଟି ପିଣ୍ଡି ସମ୍ପୂର୍ଣ୍ଣ ହେବା ପରେ ଅନ୍ୟ ପାର୍ଶ୍ୱରେ ଆଉ ୭ଟି ପିଣ୍ଡି ତିଆରି ହେବ। ଏହାବ୍ୟତୀତ ମୃତଦେହ ଆଣି ଆସୁଥିବା ପରିଜନଙ୍କ ଲାଗି ସବୁ ପ୍ରକାର ସୁବିଧା କରାଯିବ। ଏହାର ପୁନରୁଦ୍ଧାର ପାଇଁ ନକ୍ସା ଓ ଡିଜାଇନ ପ୍ରସ୍ତୁତ ସରିଛି। ମାତ୍ର ଉଚ୍ଛେଦ ଯୋଗୁ ବୁଧବାର ମୃତଦେହ ଦାହ ସଂଖ୍ୟା କମିଥିବାକୁ ପ୍ରଶାସନ ଅସ୍ବୀକାର କରିଛି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସ୍ବର୍ଗଦ୍ୱାର ଉଚ୍ଛେଦ ଚାଲିଥିବାରୁ ଏଠାରେ ମୃତଦେହ ଦାହ ସଂଖ୍ୟା କମିଛି ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ଉଚ୍ଛେଦ ଚାଲିଥିଲେ ବି ଦାହ କାର୍ଯ୍ୟରେ କୌଣସି ପ୍ରକାର ବାଧା ଉପୁଜୁନାହିଁ। ଏ ନେଇ ପ୍ରଶାସନ ବେଶ୍‌ ସଚେତନ ଅଛି। ଗୋଟିଏ ପାର୍ଶ୍ୱରେ ନବୀକରଣ କାମ ଏବଂ ଅନ୍ୟ ପାର୍ଶ୍ୱରେ ଦାହ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ପଥଶ୍ରାଦ୍ଧ ଗୃହ ଭଙ୍ଗାକୁ ନେଇ ମୃତଦେହ ଦାହ କରିବାକୁ ଆସୁଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ଖୁବ୍‌ଶୀଘ୍ର ଅସ୍ଥାୟୀ ପଥଶ୍ରାଦ୍ଧ ଗୃହ ତିଆରି କରାଯିବ। ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି କୌଣସି ପ୍ରକାର ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦିଆଯିବ।