Categories: ଜାତୀୟ

ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନ ସ୍ଲୋଗାନ୍‌: ବ୍ଲୁଷ୍ଟାର ଅପରେଶନ୍‌ର ୩୬ତମ ବାର୍ଷିକୀ ପାଳନ

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନକୁ ଶନିବାର ୩୬ବର୍ଷ ପୂରଣ ହୋଇଛି। ଏହି ଅବସରରେ ସ୍ବର୍ଣ୍ଣମନ୍ଦିର ପରିସରରେ ଥିବା ଅକାଳ ତଖତ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମନ୍‌ ସିଂ ମନ୍‌ଙ୍କ ନେତୃତ୍ୱରେ ୧୦୦ରୁ ଅଧିକ କର୍ମୀ ଯୋଗଦେଇ ଖଲିସ୍ତାନ ସ୍ଲୋଗାନ୍‌ ଦେଇଥିବା କୁହାଯାଉଛି। ଇମନ୍‌ ଶିରୋମଣୀ ଅକାଳୀ ଦଳ ଅଧ୍ୟକ୍ଷ ସିମରନଜିତ୍‌ ସିଂ ମନ୍‌ଙ୍କ ପୁଅ। ସୂଚନାଯୋଗ୍ୟ, ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ୩ ଦିନିଆ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ଏଥିରେ ୪ଶହ ୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୪ ସେନାର ଅଧିକାରୀଙ୍କ ସମେତ ୮୩ ଜଣ ଯବାନ ଶହୀଦ୍‌ ଏଥିରେ ହୋଇଥିଲେ। ତତ୍‌କାଳୀନ ସେନା ଅଧ୍ୟକ୍ଷ ଅରୁଣ କୁମାର ବୈଦ ଅପରେଶନ୍‌ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସୂଚନା ଦେଇଥିଲେ। ତେବେ ଏହି ଘଟଣାର ପ୍ରକୃତ ସ୍ବରୂପ ସମ୍ପର୍କରେ ଅବଗତ ହେବାପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମର୍ମାହତ ହୋଇଥିଲେ। ଅଳ୍ପ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଇନ୍ଦିରାଙ୍କୁ କୁହାଯାଇଥିଲା। ଏଥିରେ ସେନା ପକ୍ଷରୁ ସ୍ବର୍ଣ୍ଣମନ୍ଦିର ପରିସରରେ ଟ୍ୟାଙ୍କର ଉପଯୋଗ ମଧ୍ୟ କରାଯାଇଥିଲା।

Share