Categories: ରାଜ୍ୟ

ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରୁଷିଆସ୍ଥିତ କାଜାନ୍‌ରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଏସ୍‌. ଅଶ୍ୱତ୍ଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନାରାୟଣଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି। ଏଥିସହିତ ତାଙ୍କ ପ୍ରଶିକ୍ଷକ ରଜତ କୁମାର ସାମନ୍ତରାୟଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅଶ୍ୱତ୍ଥ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ସି.ଭି. ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂ ପାଇଁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହି ଅର୍ଥରେ ସେଠାରେ ବିଜୁ ପଟ୍ଟନାୟକ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବ। ଏହି ଉତ୍ସବରେ ଉପସ୍ଥିତ ଥିବା ସେହି ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ସଞ୍ଜୀବ ରାଉତ, ପ୍ରଶିକ୍ଷକ ରଜତ କୁମାର ଏବଂ ଅନ୍ୟ ଦୁଇ ପ୍ରତିଯୋଗୀ(ଜେନୋଫୋନ୍‌ ଦାସ ଏବଂ ଅବିନାଶ ସ୍ବାଇଁ)ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦକ୍ଷତାକୁ ଆୟୁଧ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବବର୍ଗଙ୍କ ପାଇଁ ଅଶ୍ୱତ୍ଥ ପ୍ରକୃତ ରୋଲ୍‌ ମଡେଲ। ତାଙ୍କୁ ବିଶ୍ୱ ଦରବାରରେ ମିଳିଥିବା ଏହି ସମ୍ମାନ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ। ସେହିପରି ରାଜ୍ୟର ବିଭିନ୍ନ ଆଇଟିଆଇ, ପଲିଟେକ୍‌ନିକ ଏବଂ ଅନ୍ୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାର ଛାତ୍ରୀଛାତ୍ରଗଣ ୨୦୨୧ରେ ହେବାକୁ ଥିବା ଇଣ୍ଡିଆ ସ୍କିଲ୍ସ ଏବଂ ୱାଲର୍‌ଡ ସ୍କିଲ୍ସରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।