Categories: ଜାତୀୟ

ସ୍ବର ଚପାଇବାକୁ ବଳପ୍ରୟୋଗ

ନୂଆଦିଲ୍ଲୀ,୨୧ା୧୨: ସିଏଏକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଲୋକଙ୍କ ସ୍ବରକୁ ଚାପିଦେବା ପାଇଁ ସରକାର ନିଷ୍ଠୁରତାର ସହ ବଳପ୍ରୟୋଗ କରୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି। ଭିନ୍ନମତକୁ ସରକାର ଉପେକ୍ଷା କରିବା ସହ ଏହାକୁ ଚାପିଦେବା ପାଇଁ ବଳପ୍ରୟୋଗ କରିବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ସୋନିଆ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି। ଛାତ୍ରୀଛାତ୍ର, ଯୁବଗୋଷ୍ଠୀ ଓ ନାଗରିକଙ୍କ ଉପରେ ସରକାରଙ୍କ ଏଭଳି ନିଷ୍ଠୁର ଦମନ ଲୀଳାକୁ କଂଗ୍ରେସ ନିନ୍ଦାକରିବା ସହ ଚିନ୍ତାବ୍ୟକ୍ତ କରିଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କ ଭୁଲ ନୀତି ନିଷ୍ପତ୍ତି ବିରୋଧରେ ସ୍ବର ଉତ୍ତୋଳନ କରିବା ଅଧିକାର ପ୍ରତ୍ୟେକ ନାଗରିକର ରହିଛି। ସେମାନଙ୍କ ଅଭିଯୋଗକୁ ଶୁଣିବା ସହ ଚିନ୍ତା ଦୂରକରିବା ସରକାରଙ୍କ ଦାୟିତ୍ୱ ବୋଲି ସୋନିଆ କହିଛନ୍ତି।
ବିବାଦୀୟ ନାଗରିକତ୍ୱ ଆଇନକୁ ରଦ୍ଦ କରାଯିବା ସହ ବିକ୍ଷୋଭକାରୀଙ୍କ ସହ ଆଲୋଚନା ପାଇଁ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ଲୋକଙ୍କ ଅଧିକାରକୁ ସରକାର ସମ୍ମାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Share