Categories: ବାଣିଜ୍ୟ

ସ୍ବଳ୍ପ ସଞ୍ଚୟ ଯୋଜନା ସୁଧହାର ହ୍ରାସ;ସଂସଦରେ ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୩୦-୬: କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି କ୍ରମେ ସୁକନ୍ୟା ଯୋଜନା, ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଭଳି ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ୧୦ ବେସିସ୍‌ ପଏଣ୍ଟ ଅର୍ଥାତ୍‌ ୦.୧ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ଏହା ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ପାଇଁ ଲାଗୁ ହେବ। ଏହାର ଅର୍ଥ ଏଭଳି ଯୋଜନା ପାଇଁ କମ ସୁଧ ମିଳିବ। ଅନ୍ୟପକ୍ଷରେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହାକୁ ବିରୋଧ କରିଛି। ଭାରି ବହୁମତରେ ବିଜୟ ପରେ ଏନ୍‌ଡିଏ ସରକାରଙ୍କର ଜନତାଙ୍କୁ ଏହା ‘ ବିଜୟର ଉପହାର’ ବୋଲି ଉଲ୍ଲେଖ କରିଛି କଂଗ୍ରେସ। ଦଳର ମୁଖପାତ୍ର ପଓ୍ବନ ଖେରା କହିଛନ୍ତି ଯେ, ସରକାରଙ୍କୁ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ହେବ। ସଂସଦର ବଜେଟ ଅଧିବେଶନ ବେଳେ ଦଳ ଏହାକୁ ପ୍ରସଙ୍ଗ କରିବ। ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ହ୍ରାସ କରି ଦେଶବାସୀଙ୍କୁ ଦଣ୍ଡ ଦେଇଛନ୍ତି। କାରଣ ଏଭଳି ଯୋଜନା ଉପରେ ଦେଶର ଅଧିକାଂଶ ଲୋକ ନିର୍ଭରଶୀଳ। ସେ କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବେଳେ ୨ ବର୍ଷିୟା, ୫ ବର୍ଷିୟା, ପବ୍ଲିକ୍‌ ପ୍ରୋଭିଡେଣ୍ଡ ଫଣ୍ଡ (ପିପିଏଫ୍‌)ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଯଥାକ୍ରମେ ୮.୪, ୮.୫,୮.୭ ଏବଂ ୯.୨% ସୁଧ ହାର ପ୍ରଦାନ କରାଯାଉଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅମଳରେ ଏହା ଏବେ ୬.୯,୭.୭,୭.୯ ଏବଂ ୮.୬ ପ୍ରତିଶତକୁ ହ୍ରାସ ପାଇଛି। ସୂଚନାଥାଉ କି, ସରକାରଙ୍କ ଘୋଷଣା ପରେ ପିପିଏଫ୍‌ ଏବଂ ନ୍ୟାଶନାଲ ସେଭିଙ୍ଗସ ସାର୍ଟିଫିକେଟ(ଏନ୍‌ଏସ୍‌ସି)ର ସୁଧ ହାର ୮ରୁ ୭.୯% କୁ ହ୍ରାସ ପାଇଛି। ସେହିପରି ୧୧୩ ମାସରେ ପରିପକ୍ୱ ହେଉଥିବା କିଷାନ ବିକାଶ ପତ୍ର(କେଭିପି)ର ସୁଧ ହାର ୭.୬% ରହିବ। ବର୍ତ୍ତମାନ ୧୧୨ ମାସରେ ପରିପକ୍ୱ ହେଉଥିବା କେଭିପିରେ ୭.୭% ସୁଧ ମିଳୁଥିଲା। ଅନୁରୂପ ଭାବେ ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୫ ବଦଳରେ ୮.୪% ସୁଧ ମିଳିବ। ୧-୩ ବର୍ଷର ପୋଷ୍ଟ ଅଫିସ ଟର୍ମ ଡିପୋଜିଟର ସୁଧ ହାର ତ୍ରୈମାସ ଭିତ୍ତିରେ ୬.୯% , ୫ବର୍ଷିୟା ତ୍ରୈମାସ ଭିତ୍ତିରେ ୭.୭%, ରିକରିଂରେ ୭.୨% ସୁଧ ମିଳିବ। ବରିଷ୍ଠ ନାଗରିକ ମାନେ ସଞ୍ଚୟ ଯୋଜନାରେ ୮.୭ ବଦଳରେ ୮.୬% ସୁଧ ପାଇବେ ବୋଲି ଜଣାପଡିଛି।

Share