ସ୍ବାଧୀନତା ଦିବସ ପାଇଁ ରେଳ ଷ୍ଟେଶନରେ ବଢ଼ିଲା ସୁରକ୍ଷା: ଯାତ୍ରୀଙ୍କ ଲଗେଜ୍‌, ଟ୍ରେନ୍‌ ବଗି ଯାଞ୍ଚ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଇଁ ମଙ୍ଗଳବାର ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରେଳ ସୁରକ୍ଷା ବଳ ଓ ସ୍ପେଶାଲ ଟାସ୍କ ଫୋର୍ସ ମିଶି ରେଳ ଷ୍ଟେଶନର କୋଣ ଅନୁକୋଣ ଯାଞ୍ଚ କରିଛନ୍ତି। ଯାତ୍ରୀଙ୍କଠାରୁ ନେଇ, କର୍ମଚାରୀ ଓ ଷ୍ଟେଶନକୁ ଆସୁଥିବା ସମସ୍ତ ପାର୍ସଲକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି ରେଳ ସୁରକ୍ଷା ବଳ। ମେଟାଲ ଡିଟେକ୍ଟର ସାହାଯ୍ୟରେ ପ୍ରତିଟି ସନ୍ଦେହଜନକ ଜିନିଷ ପତ୍ର ଓ ଡଷ୍ଟବିନ ପାଣି ଟାଙ୍କି ସବୁକୁ ତନଖି କରାଯାଇଛି। ଷ୍ଟେଶନକୁ ଆସିଥିବା ସବୁ ଟ୍ରେନର ବଗିଗୁଡିକ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି। ତେବେ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ସମୟକୁ ୮ ରୁ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ନିକଟରେ ଜମ୍ମୁ ଓ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପୂରା ଦେଶରେ ବିମାନ ବନ୍ଦର ଏବଂ ରେଳ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଭିଆଇପି ଗେଟ୍‌ରେ ପ୍ରତିବନ୍ଧକ ଲଗାଇବା ସହ, ଡଗ ସ୍କ୍ବାଡ ଚେକିଂ, ପାର୍ସଲ ଅଫିସ୍‌ ଆରପିଏଫ ପକ୍ଷରୁ ଯାଞ୍ଚ କରାଯାଇଛି। ସନ୍ଧ୍ୟାରେ ବରିଷ୍ଠ ସୁରକ୍ଷା ଆୟୁକ୍ତ ପି. ଶଙ୍କର କୁଟ୍ଟି ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଷ୍ଟେଶନର କଳ୍ପନା ପଟକୁ ଓ ସତ୍ୟନଗର ବ୍ରିଜ ତଳେ ଦୁଇଜଣ ବନ୍ଧୁକଧାରୀ ଜଗି ରହିଛନ୍ତି ବୋଲି ଥାନାଧିକାରୀ କାଳୁ ସେଠୀ ସୂଚନା ଦେଇଛନ୍ତି। ବୁଧବାର ସୁରକ୍ଷା ସମୀକ୍ଷା କରିବାକୁ ଆରପିଏଫ ଡିଆଇଜି ଚୈତନ୍ୟ ମାରାଣ୍ଡି ଆସିବେ ବୋଲି ଜଣାପଡିଛି।