ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ, ଗଣପ୍ୟାରେଡ୍‌ ବନ୍ଦ ନିଷ୍ପତ୍ତି ଦୁର୍ଭାଗ୍ୟଜନକ; କାରଣ କ’ଣ ଉତ୍ତର ରଖନ୍ତୁ: ଭାଜପା

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍‌ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ଭାଜପା। ୭୨ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଭଙ୍ଗ କରାଯିବା ଦୁର୍ଭାଗ୍ୟଜନକ ବୋଲି ଶନିବାର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୃଥ୍ବୀରାଜ କହିଛନ୍ତି, ୧୯୪୭ ମସିହା ପରଠାରୁ ଦେଶ ସମେତ ରାଜ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇ ଆସୁଛି। ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯିବା ସମୟରେ ପୋଲିସ ବିଭାଗ, ସିଭିଲ୍‌ ଡିଫେନ୍ସ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନେ ଗଣପ୍ୟାରେଡରେ ଭାଗ ନେଇଥାନ୍ତି। ଏପରିକି ଏହି ସମୟରେ ସ୍ବାଧୀନତା ସମ୍ପର୍କିତ ବିଭିନ୍ନ ଯୋଜନା ଓ ଅନେକ ବିକାଶମୂଳକ ଯୋଜନାକୁ ପ୍ରଦର୍ଶିତ କରାଯାଇଥାଏ। ପୂର୍ବରୁ ବିିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ପତାକା ଉତ୍ତୋଳନ କରି ସଲାମି ଗ୍ରହଣ କରୁଥିଲେ। ୧୯୭୩ ମସିହାରେ ନୂତନ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ମାତ୍ର ଚଳିତ ବର୍ଷ ବିନା କାରଣରେ ଗଣପ୍ୟାରେଡ୍‌କୁ ରାଜ୍ୟ ସରକାର ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହାଦ୍ୱାରା ବିଗତ ୭୨ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ଭଙ୍ଗ ହୋଇଛି। ଏଣୁ କେଉଁ କାରଣ ଲାଗି ଏହାକୁ ବନ୍ଦ କରାଯାଇଛି ତାହାର ଉତ୍ତର ଦିଅନ୍ତୁ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡ଼ା ହୋଇପାରିବେନି ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି କି? ଯଦି ଏହା ସତ୍ୟ ତେବେ ରାଜ୍ୟବାସୀଙ୍କ ଆଗରେ ତାହା ସ୍ପଷ୍ଟ କରାଯାଉ ବୋଲି ହରିଚନ୍ଦନ କହିଛନ୍ତି।
ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଜଗତସିଂହପୁର ଭାଜପା ଏମ୍‌ପି ପ୍ରାର୍ଥୀ ବିଭୁ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

Share